ରାଜ୍ୟ କ୍ରାଇମବ୍ରାଞ୍ଚର ୭୦ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୧୫/୧୦: ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ଶାଖା ଆନୁକୂଲ୍ୟରେ ଆସନ୍ତା ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ କଟକ ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ୭୦ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା (Police Duty Meet) ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର 34ଟି ପୋଲିସ ଜିଲ୍ଲା ଏବଂ ପ୍ରତିଷ୍ଠାନରୁ 276 ପୋଲିସ କର୍ମଚାରୀ, 43 ଶ୍ଵାନ ଏବଂ 43 ହ୍ୟାଣ୍ଡଲର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏଥିନିମନ୍ତେ ରାଜ୍ୟ କ୍ରାଇମ ବ୍ରାଞ୍ଚ ପକ୍ଷରୁ ବ୍ୟାପକ ଆୟୋଜନ ଓ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୋଲିସ କର୍ମଚାରୀମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ଏବଂ ସେମାନଙ୍କୁ ଆଧୁନିକ ଅପରାଧ ନିୟନ୍ତ୍ରଣ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ, ତଦନ୍ତ, ଫରେନସିକ୍, ସାଇବର କ୍ରାଇମ ଓ ଟେକ୍ନିକାଲ୍ ସର୍ଭେଲାନ୍ସ ଆଦି କ୍ଷେତ୍ରରେ ପୋଲିସର ଦକ୍ଷତା ବଢ଼ାଇବାରେ ଏହି ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଫୋରେନସିକ୍ ବିଜ୍ଞାନ, ପ୍ରଦର୍ଶନୀ ଗୁଡିକର ଉତ୍ତୋଳନ, ପ୍ୟାକିଂ ଏବଂ ଅଗ୍ରଗତି, ଅପରାଧର ତଦନ୍ତ, ପର୍ଯ୍ୟବେକ୍ଷଣ ପରୀକ୍ଷା, ଆଣ୍ଟି ସାବୋଟେଜ, ଅଙ୍ଗୁଳି ଛାପ, କମ୍ପୁଟର ଜ୍ଞାନକୌଶଳର ଦକ୍ଷତା, ଫଟୋଗ୍ରାଫି, ଭିଡିଓଗ୍ରାଫି, ସାଇବର ଅପରାଧ ଓ ପରୀକ୍ଷଣ, ପୋଲିସ ଆଇନ କାନୁନ, ପୋଲିସ ରୂପଚିତ୍ର, ମେଡିକୋ ଲିଗାଲ, ପୋଲିସ ଶ୍ଵାନ କୌଶଳ ପ୍ରଦର୍ଶନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ଭୁବନେଶ୍ବର ଏବଂ OSAP ଷଷ୍ଠ ବାଟାଲିୟନ, କଟକ ଏବଂ ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କର୍ମଚାରୀମାନଙ୍କର ଦକ୍ଷତା ମୂଲ୍ୟାୟନ (Practical) ଏବଂ ଲିଖିତ ପରୀକ୍ଷାକୁ ଆଧାର କରି ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଚୟନ କରାଯିବ। ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞମାନେ ଏହି ମୂଲ୍ୟାୟନକୁ ପରିଚାଳନା କରିବେ। ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳ ହୋଇଥିବା ଶ୍ରେଷ୍ଠ ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ମାସ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ପ୍ରତ୍ୟେକ ଦଳରେ ଇନସ୍ପେକ୍ଟର, ସବ୍-ଇନସ୍ପେକ୍ଟର ଓ କନଷ୍ଟେବଳ ସ୍ତରର କର୍ମଚାରୀ ଅଂଶଗ୍ରହଣ କରିବେ। ପୋଲିସ କର୍ମଚାରୀମାନଙ୍କ ଦକ୍ଷତା, କାର୍ଯ୍ୟକ୍ଷମତା ଓ ଆତ୍ମବିଶ୍ୱାସ ବୃଦ୍ଧିରେ ଏହି ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ମାମଲା ସମାଧାନକୁ ଅଧିକ କ୍ଷମତାଶୀଳ କରି, ଜନସାଧାରଣଙ୍କ ମଧ୍ୟରେ ପୋଲିସ ପ୍ରତି ଆସ୍ଥା ଓ ଗ୍ରହଣୀୟତା ବଢ଼ାଇବ।

Leave a Reply

Your email address will not be published. Required fields are marked *