ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୧୯/୧୦: ସାରଳା ସାହିତ୍ୟ ସଂସଦ ପକ୍ଷରୁ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଛି। ସଂସଦର ପ୍ରତିଷ୍ଠାତା ତଥା ସଭାପତି ଡକ୍ଟର ଇଂଜିନିୟର ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍‌ପାଟି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନବଓଡ଼ିଶା ନିର୍ମାଣରେ ହରେକୃଷ୍ଣ ମହତାବଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ। ଦେଶର ମୁକ୍ତି ସଂଗ୍ରାମରେ ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ଥିଲେ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ। ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ପ୍ରଫେସର ଖାରବେଳ ମହାନ୍ତି, ସମ୍ମାନିତ ଅତିଥି ଭାବେ ଲୋକସଭା ସଦସ୍ୟ ଡକ୍ଟର ଭର୍ତ୍ତୃହରି ମହତାବ, କବି ପ୍ରସନ୍ନ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ, ବିଶିଷ୍ଟ ଲେଖକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିଶିଷ୍ଟ ସାମ୍ବାଦିକ ବାମାପଦ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଭା ପ୍ରାରମ୍ଭରେ ସଂସଦର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ସ୍ବାଗତ ଭାଷଣ ଦେବା ସହ ଡକ୍ଟର ମହତାବଙ୍କ ବ୍ୟକ୍ତିତ୍ବ ଉପରେ ଆଲୋକପାତ କରିଥିଲେ। ରାଜ୍ୟପାଳଙ୍କୁ ସହଦେବ ସାହୁ, ଡକ୍ଟର ପ୍ରଭାକର ସ୍ବାଇଁ, ପ୍ରଫେସର ସତ୍ୟନାରାୟଣ ପଣ୍ଡା, ଡାକ୍ତର ନିମାଇଁ ପରିଜା, ସମାଜସେବୀ କୈଳାସ ଦଳାଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ନାଟ୍ୟକାର ସଂଜିତ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଗାଳ୍ପିକା ସୋହାଗିନୀ ବେହେରା, କବି ଗୋପା ଦାସ ଓ ପ୍ରଫେସର ସୁଶାନ୍ତ କୁମାର ସେଠୀ ମାନପ‌ତ୍ର ପାଠ କରିଥିଲେ। କାର୍ଯ୍ୟକ୍ରମକୁ କବି ପ୍ରିୟତମା ସାହୁ, ଅଧ୍ୟାପକ ନିର୍ମଳ ଚନ୍ଦ୍ର ପହୀ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓ ବ୍ରଜକିଶୋର ବେଉରା ପରିଚାଳନା କରିଥିଲେ। ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାହିତ୍ୟିକ ଯୋଗ ଦେଇଥିଲେ। ସଂପାଦକ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *