ଗାଁ ଦାଣ୍ଡରେ ଉଲଗ୍ନ କରି ମହିଳାଙ୍କୁ ବର୍ବର ଆକ୍ରମଣ

ଅପରାଧ ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଜଗତସିଂହପୁର, ୨୨/୧୦: ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ପଟସରା ଅଞ୍ଚଳରେ ଜଣେ ମହିଳାଙ୍କୁ ଦାଣ୍ଡରେ ଉଲଗ୍ନ କରାଯାଇ ଘୋଷାରି ଘୋଷାରି ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ମହିଳାଙ୍କ ମୁଣ୍ଡକୁ ଅଭିଯୁକ୍ତମାନେ କାଠଫାଳିଆରେ ମାଡ଼ ମାରିବାରୁ ଗଭୀର ଆଘାତ ଲାଗିଛି। ଆକ୍ରମଣରେ ଆହତ ହୋଇଥିବା ମହିଳା ହେଲେ ପଟସରା ଅଞ୍ଚଳର ଦୁଃଖୀଶ୍ୟାମ ରାଉତଙ୍କ ପତ୍ନୀ ରଶ୍ମି ରଞ୍ଜିତା ପରିଜା। ସେ ବିଜେଡି କର୍ମୀ ହୋଇଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଉଦ୍‌ବେଗ ପ୍ରକାଶ ପାଇଛି।

ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ହୋଇଛି।ଅଭିଯୋଗରୁ ଜଣାପଡ଼ିଛି, ଦୀପାବଳି ପାଳନ ଚାଲିଥିବା ବେଳେ ରାତି ପ୍ରାୟ ୯ଟାରୁ ସାଢ଼େ ୯ଟା ଭିତରେ ରଶ୍ମିରଞ୍ଜିତାଙ୍କ ଘର ଆଗରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନିରୁଦ୍ଧ ରାଉତ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। କାହିଁକି ଗାଳିଗୁଲଜ କରୁଛ ବୋଲି ରଶ୍ମିରଞ୍ଜିତା ପଚାରିବାରୁ ତାଙ୍କୁ ଘୋଷାରି ଆଣି ଗାଁ ଦାଣ୍ଡରେ ଫୋପାଡ଼ି ଉଲଗ୍ନ କରିଦେଇଥିଲେ। ସେତିକି ବେଳେ ହରେକୃଷ୍ଣ ଓ ତାଙ୍କ ପୁଅ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ବାମୀ ଓ ପୁଅ ରଶ୍ମିରଞ୍ଜିତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ତିନି ଜଣ ପୁରୁଷ ଓ ତିନି ଜଣ ମହିଳା ସେମାନଙ୍କୁ ଆକ୍ରମଣ କରିଥିଲେ। ରଶ୍ମିରଞ୍ଜିତାଙ୍କ ମୁଣ୍ଡକୁ ଏକ କାଠଫାଳିଆରେ ପ୍ରହାର କରିଥିଲେ। ଯାହାଫଳରେ ତାଙ୍କ ମୁଣ୍ଡ ଫାଟିଯିବା ସହ ଗୁରୁତର ଅବସ୍ଥାରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଛି। ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ, ଛାତ୍ର ବିଜେଡି ସଭାପତି ଈପ୍‌ସିତା ସାହୁ, ଲେନିନ୍ ମହାନ୍ତି ପ୍ରମୁଖ ଜଗତସିଂହପୁର ମେଡିକାଲରେ ପହଞ୍ଚି ଆହତ ମହିଳାଙ୍କୁ ଭେଟିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏସ୍‌ଡିପିଓ ଆଜିଙ୍କ୍ୟା ମାଣେ କହିଛନ୍ତି, ଅଭିଯୁକ୍ତଙ୍କୁ ଧରିବା ଲାଗି ଦୁଇଟି ଟିମ୍ ଗଠନ କରାଯାଇଛି। ସେମାନେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଅଭିଯୁକ୍ତମାନଙ୍କ ପକ୍ଷରୁ ମଧ୍ୟ ଥାନାରେ ଏକ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *