ଝଙ୍କଡ଼ ୧୧/୧୧: ବାଣୀକ୍ଷେତ୍ର ଝଙ୍କଡ଼ ପ୍ରଗଣା ର ଗୋବିନ୍ଦପୁର ପଞ୍ଚାୟତ ଅଧିନ ଭଟ୍ଟଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ପାର୍ଶ୍ଵରେ ଥିବା ମା ଲକ୍ଷ୍ମୀ ଙ୍କ ମନ୍ଦିର ଓ ପତିତପାବନ ଗାଦିଗୋସେଇଁ ଙ୍କ ମନ୍ଦିରର, କବାଟ, ଗ୍ରିଲ ଓ ଷ୍ଟିଲଗ୍ରିଲ କୁ କଟର ମେସିନ ସାହାଯ୍ୟରେ କାଟି ଠାକୁର ମାନଙ୍କର ସୁନାହାର, ରୁପାମୁକୁଟ, ପୂଜାରେ ବ୍ୟବହୃତ ହେଉଥିବା ବାସନ କୁସନ ଓ ଅଳଙ୍କାର ଆଦି ଗତ ଦଶତାରିଖ ସୋମବାର ବିଳମ୍ବିତ ରାତ୍ରୀରେ ଚୋରି ହୋଇଯାଇଛି, l ଅପରପକ୍ଷରେ ଗତ ଧର୍ମମାସ କାର୍ତ୍ତିକ ମାସ ରେ ଦୁଇ ତିନିଟି ଦାନବାକ୍ସ ହୁଣ୍ଡି ରେ ପଡ଼ିଥିବା ବିପୁଳ ଅର୍ଥ କୁ ମଧ୍ୟ ଚୋରମାନେ ଲୁଟି ନେଇଥିବା ବେଳେ ସେଥି ମଧ୍ୟରୁ ଗୋଟେ ଦାନବାକ୍ସ କୁ ଭାଙ୍ଗି ମନ୍ଦିରର ପଛପାଖରେ ପକାଇଦେଇ ଯାଇଛନ୍ତି l ସେହିପରି ଗାଦିଗୋସେଇଁ ଙ୍କ ମନ୍ଦିର କବାଟ ତାଲା ଭାଙ୍ଗି ଷ୍ଟୋରରୁମ ରୁ ସବୁ ଜିନିଷପତ୍ର ନେଇ ଯାଇଛନ୍ତି l ପରଦିନ ସକାଳୁ ମନ୍ଦିରର ନିତ୍ୟପୂଜକ ନବଘନ କର ଏହି ଅଘଟଣ ଦେଖି ପ୍ରଥମେ ଗୁମାସ୍ତା ଅଭିଷେକ ଖୁଣ୍ଟିଆ ଓ ଗ୍ରାମବାସୀ ମାନଙ୍କୁ ଜଣାଇଥିଲେ l
ଏଥିସହିତ ଗୁମାସ୍ତା ତିର୍ତ୍ତୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ କନକପୁର ପୋଲିସ ଫାଣ୍ଡି ଅଫିସର ରାଜେନ୍ଦ୍ର କୁମାର ଭୋଳ ଓ ପରେପରେ ତିର୍ତ୍ତୋଲ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିବା ସହିତ, ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରାଯିବ ବୋଲି ଜଣାଯାଇଛି l ଏହି ସ୍ଥାନ ଟି କୋଷ୍ଟିମଲ୍ଲିକାପୁର ଓ ଗୋବିନ୍ଦପୁର ଉଭୟ ପଞ୍ଚାୟତ ର ସନ୍ଧିସ୍ଥଳରେ ଥିବାରୁ ଏହି ପଞ୍ଚାୟତର ଜନପ୍ରତିନିଧି ଭାସ୍କର ଚନ୍ଦ୍ର ନାୟକ ଓ ସରପଞ୍ଚ ବିଭୁପ୍ରସାଦ ମହାନ୍ତି ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ସରୋଜ କୁମାର ଦାସ, ସୁଧାକର ବରାଳ, ଅକ୍ଷୟ କୁମାର ଦାସ, ଶରତ ଖୁଣ୍ଟିଆ, ଅଜୟ ମହାନ୍ତି, ମାଧବାନନ୍ଦ ସାହୁ, ବିପିନବିହାରୀ ସାହୁ, ଜିତେଶ ଛାଟୋଇ, ଦେବେନ୍ଦ୍ର ଖୁଣ୍ଟିଆ, ନିମାଇଁ ବିଶ୍ୱାଳ, ସୁମନ୍ତ ରାଉତ, ଗଣେଶ୍ୱର ସ୍ୱାଇଁ ଓ ଅଭିରାମ ସ୍ୱାଇଁ ଙ୍କ ସମେତ ଶତାଧିକ ଗ୍ରାମବାସୀ ମାନେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଚୋରିଜିନିସ ର ପୁନଃରୁଦ୍ଧାର କରିବା ସହିତ ଦୃଢ଼ ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ କତୃପକ୍ଷ ଙ୍କ ନିକଟରେ ଦାବୀ କରିଅଛନ୍ତି l
ଠିକ ସେହିପରି କନକପୁର ପଞ୍ଚାୟତ ଅନ୍ତର୍ଗତ କଣ୍ଟାପଡା ଗ୍ରାମର ପତିତପାବନ ଓ କପାଳମୋଚନ ମହାଦେବ ମନ୍ଦିରରୁ ମଧ୍ୟ ସେଇ ସୋମବାର ରାତିରେ ତାଲାଭଙ୍ଗାଯାଇ ମା ପାର୍ବତୀ ଙ୍କର ଗୋଟିଏ ସୁନାହାର, ରୁପା ମୁକୁଟ ଓ ହନୁମାନଜୀଉ ଙ୍କ ମନ୍ଦିରରେ ବ୍ୟବହୃତ ବିଭିନ୍ନପ୍ରକାରର ପୂଜା ଉପକରଣ ଆଦି ସମାନ ଢଙ୍ଗରେ ଚୋରି ହୋଇଯାଇଛି ବୋଲି ଠାକୁର ଙ୍କ ନିତ୍ୟ ପୂଜକ ଦିବାକର ପଣ୍ଡା ଙ୍କ ସମେତ କଣ୍ଟାପଡା, ସର୍ଦ୍ଦୋଳl, ଛବିଶ୍ୱା ଆଦି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l ତେବେ ଗୋଟିଏ ରାତିରେ ଦୁଇଟି ସ୍ଥାନରେ ସମାନ ଢଙ୍ଗରେ ଚୋରି ହୋଇଥିବାରୁ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡିଛି l ପୋଲିସ ତରଫରୁ ଏହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି l ଦେଖିବାକୁ ବାକିରହିଲା ପୋଲିସ କେବେ ଉଦ୍ଧାର କରୁଛି ଚୋରିଜିନିଷ ଆଉ କେବେ ଧରିପାରୁଛି ଏହି ସିରିଜ ଚୋରିରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ?
