କୋରାପୁଟ, ୧୬/୧୧: କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତସ୍ଥିତ ପୁଟସିଲ ଠାରେ ଇକୋ ରିଟ୍ରିଟକୁ ଆଭାସୀ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଡା ଉଦ୍ଘାଟନ କରିଛନ୍ତି। ଇକୋ ରିଟ୍ରେଟ୍ରେ ୨୦ ଗୋଟି ଡିଲକ୍ସ ଓ ୫ ଗୋଟି ପ୍ରିମିୟମ କଟେଜ୍ର ସୁବିଧା ରହିଛି। ଏଥି ପାଇଁ ସ୍ବତନ୍ତ୍ର ବଜେଟ୍ର ବ୍ୟବସ୍ଥା ରହିଛି।
ପୁଟସିଲ୍ସ୍ଥିତ ଏହି ଇକୋ ରିଟ୍ରିଟ୍ରେ ପର୍ଯ୍ୟଟକଙ୍କ ମନରଂଜନ ପାଇଁ କିଡସ୍ ଜୋନ୍, ଆରଚେରି, ଡାରଟିଂ, ରେଷ୍ଟୁରାଣ୍ଟ, ଇଟିଭି ଭେଇକେଲ, କ୍ରିକେଟ୍, ଭଲିବଲ, ବ୍ୟାଡ୍ମିଣ୍ଟନ ଆଦି ସୁବିଧା ରହିଛି। ସେଠାରେ ରହୁଥିବା ପର୍ଯ୍ୟଟକମାନେ ପ୍ରଥମ ଦିନରେ ନିକଟସ୍ଥ ଦୁଧାରୀ କଫି ବଗିଚା ବୁଲିବେ। ୨ୟ ଦିନରେ ରାଣି ଡୁଡୁମା ବୁଲାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଇକୋ ରିଟ୍ରିଟ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଛି। ପୁଟସିଲ୍ ଠାରେ ହୋଇଥିବା କାର୍ଯ୍ୟକ୍ରମରେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ସେମିଳିଗୁଡ଼ା ଗୋଷ୍ଠୀ ଉନୟନ ଅଧିକାରୀ ଜସ୍ମିନ କୁମାର ପ୍ରଧାନ, ତହସିଲଦାର ଦେବବ୍ରତ କରାଟି, ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, ଦୁଧାରୀ ସମିତି ସଭ୍ୟ ସୁଷମା ପାଙ୍ଗି, ସରପଞ୍ଚ ମାଧବ ନନ୍ଦିବାଲୀ, ଜିଲ୍ଲା ପରିଷଦ ସଭ୍ୟ ମୋହନ ଜାନି ଉପସ୍ଥିତ ଥିଲେl ଏହି ଇକୋ ରିଟ୍ରେଟ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଖୋଲା ରହିବ। ସମୁଦାୟ ୨୫ଟି ସୁଟ ରହିଛି। ପଞ୍ଚତାରକା ହୋଟେଲର ସୁବିଧା ଏଠି ପର୍ଯ୍ୟଟକମାନେ ପାଇପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୟଦ ସବୀର ସାହା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
