ଝଙ୍କଡ଼, ୮/୧୨: ଓଡ଼ିଆ ଭାଷା ସାହିତ୍ୟ କାବ୍ୟକଳା ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠରେ ଦୀର୍ଘ ତିନିଦଶନ୍ଧି ରୁ ଉର୍ଦ୍ଧ୍ୱ କାଳ ଧରି, ମା ଙ୍କ ବିଭିନ୍ନ ଲୀଳା, ମହିମା ଓ ପୀଠମହାତ୍ମ ଉପରେ ଆଧାରିତ ଆକର୍ଷଣୀୟ କଳାକୁଞ୍ଜ କରି, ପୀଠକୁ ଆସୁଥିବା ସମସ୍ତ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ କରିଆସୁଥିବା ଲକ୍ଷ୍ମୀଧର ସ୍ୱାଇଁ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ମନ୍ଦିର ସମ୍ମୁଖସ୍ଥ କନକପୁର ବଜାର ପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତ ସ୍ୱାଇଁ ଦୀର୍ଘବର୍ଷ ଧରି ସାରଳାପୀଠରେ ହେଉଥିବା ସାରଳାଦାସ ଶ୍ରାଦ୍ଧତ୍ସବ କମିଟି ର କୋଷାଧକ୍ଷ୍ୟ ଭାବରେ କାର୍ଯ୍ୟନିର୍ବାହ କରିଥିବା ବେଳେ, ସାରଳା ଚିତ୍ରାଳୟ ର ମଧ୍ୟ ପ୍ରଯୋଜକ ଦାୟିତ୍ୱ ବହନ କରିଥିଲେ ବୋଲି ଏହି ସଭାରେ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ତିର୍ତ୍ତୋଲ କଲେଜ ର ପ୍ରାକ୍ତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ, ଯୁବସମାଜସେଵୀ ନୃସିଂହ ଚରଣ ରାଉଳ, ସ୍ୱତନ୍ତ୍ରଅତିଥି ଡଃ ପିତାମ୍ବର ରାଉତ, ସାରଳା ମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର, ଆଇନୀଜୀବି ମହେଶ ମହାନ୍ତି, ପଣ୍ଡିତ ବାସବ ନନ୍ଦ, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ସ୍ୱାଇଁ ଙ୍କ ଜୀବନଚର୍ଯ୍ୟା ଉପରେ ଆଲୋଚନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସ୍ମୃତିସଭା ର ପ୍ରାରମ୍ଭରେ ଗୀତା ପାଠ ଓ ଆତ୍ମାର ସଦଗତି କାମନା ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ତାଙ୍କର ବଡପୁଅ ରବିନାରାୟଣ ସ୍ୱାଇଁ ( ବାବୁଲି ) ଙ୍କ ସମେତ ଅନୁସୂୟା ସ୍ୱାଇଁ, ଚନ୍ଦ୍ରକାନ୍ତ ସ୍ୱାଇଁ, ଋତୁପର୍ଣ୍ଣା ସ୍ୱାଇଁ, ପଦ୍ମନାଭ ସ୍ୱାଇଁ ଓ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ପରିଶେଷରେ ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ପରେ ଯୁବସଙ୍ଗୀତନିର୍ଦ୍ଦେଶକ ପ୍ରହ୍ଲାଦ ନାୟକ ଙ୍କ ସଂଯୋଜନା ରେ ସମର୍ପଣ ଭଜନ ସନ୍ଧ୍ୟା ର କୁଶଳୀ କଳାକାର ମାନଙ୍କ ଦ୍ୱାରା ଭକ୍ତିସଙ୍ଗୀତ ପରିବେଷଣ କରାଯାଇଥିଲା l
