ସରକାରୀ ମାନ୍ୟତା ଦା‌ବିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୯/୧୨: ସରକାରୀ ମାନ୍ୟତା ସହିତ ୧୩ ଦଫା ଦାବିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଲୋୟର୍ ପିଏମ୍‌ଜିରେ ଧାରଣା ଦିଆଯାଇଛି। ଆଜି ପୂର୍ବାହ୍‌ଣରେ ମହାସଂଘର ଶିକ୍ଷକମାନେ ବିଭିନ୍ନ ଜିଲ୍ଲାରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକାଠି ହୋଇ ବିଧାନସଭା ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ। ଲୋୟର ପିଏମ୍‌ଜିରେ ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇ ସେମାନଙ୍କୁ ଅଟକାଯାଇଥିଲା। ସେଠାରେ ଏକ ପ୍ରତିବାଦ ସଭା‌ କରି ଶିକ୍ଷକ ନେତୃବୃନ୍ଦ କହିଥିଲେ ଯେ ପୂର୍ବ ସରକାର ୧୦ ବର୍ଷ ତଳେ ଓଡ଼ିଶାରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ।

ମାତ୍ର ବିଦ୍ୟଳୟରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ସୁରକ୍ଷା ଓ ଭବିଷ୍ୟତ ଆଜି ଅନିଶ୍ଚିତ। ସେମାନେ ସରକାରୀ କର୍ମଚାରୀ ନୁହନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୃତ୍ତି ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି। ଶିକ୍ଷକମାନଙ୍କର ଚାକିରିରେ ସର୍ତ୍ତାବଳୀ(କ୍ୟାଡର୍ ରୁଲ୍) ନାହିଁ। ଏବେ ଯାଏଁ ମୃତ ୨୪ ଶିକ୍ଷକଙ୍କର ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି। ସରକାରଙ୍କ ତରଫରୁ ସେମାନଙ୍କୁ କିଛି ସାହାଯ୍ୟ ଦିଆଯାଉ ନାହିଁ। ସମାନ କାମକୁ ସମାନ ଦରମା ଭଳି ଅନେକ ସମସ୍ୟା ଭିତରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନେ ଘାଣ୍ଟି ହେଉଛନ୍ତି।

ଏହି ଅବସରରେ ସଂଘ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀମାନଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲଙ୍କ କର୍ମଚାରୀଙ୍କ ଭଳି ସରକାରୀ ମାନ୍ୟତା,‌ ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ୟାଡର୍‌ ମାନ୍ୟତା, ସମାନ କାମକୁ ସମାନ ଦରମା ସହିତ ପିଇଟି, ମ୍ୟୁଜିକ୍‌ ଓ କମ୍ପ୍ୟୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦ ଗ୍ରେଡ୍‌ ପେ ପ୍ରଦାନ, ପ୍ରତ୍ୟେକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପିଜିଟି ଓଡ଼ିଆ ପୋଷ୍ଟିଂ ଦେବା ସହିତ ହିନ୍ଦୀ ଓ ସଂସ୍କୃତରେ ପିଜିଟି ପଦ ସୃଷ୍ଟି, ପ୍ରତ୍ୟେକ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପିଏମ୍‌ଶ୍ରୀ ସ୍କୁଲ ମାନ୍ୟତା, ସବୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଟର୍ସ ଷ୍ଟ୍ରିମ୍ ଖୋଲିବା ଭଳି ଦାବି ସଂଘ ପକ୍ଷରୁ କରାଯାଇଛି। ଦାବିଗୁଡ଼ିକ ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ମହାସଂଘର ରାଜ୍ୟ ସଭାପତି ରିପୁଦମନ ମିଶ୍ର ଏବଂ ରାଜ୍ୟ ସଂପାଦକ ଶୁଭାଶିଷ ଦାସ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *