କୋଟିଆରେ ଆନ୍ଧ୍ରର ଦାଦାଗିରି: ବ୍ଲକ୍‌ ପ୍ରଶାସନର ଫଳକ ଭାଙ୍ଗିଲେ

କୋରାପୁଟ ରାଜ୍ୟ
Spread the love

ପଟାଙ୍ଗି, ୯/୧୨: ବିତାଡ଼ିତ ଓ ଅପଦସ୍ଥ ହେବାର ଜବାବ ଦେଇଛି ଆନ୍ଧ୍ର। ଆଜି କୋଟିଆର ବିବାଦୀୟ ଭୂଖଣ୍ଡରେ ଏଜେଣ୍ଟଙ୍କ ଜରିଆରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଛି। ବାରମ୍ବାର ଏଜେଣ୍ଟ ନାଲିଆଖି ଦେଖାଉଥିଲେ ସୁଦ୍ଧା ପୁଲିସ ଓ ପ୍ରଶାସନ ନିରବ ରହୁଛି। ଯାହାଫଳରେ ଏଜେଣ୍ଟଙ୍କ ସାହସ ବଢ଼ି ଯାଇଛି। ଓଡ଼ିଶା ସରକାରଙ୍କ ବିରୋଧରେ ଖୋଲାଖୋଲି ବୟାନ ଦେବା ଆରମ୍ଭ କରିଛନ୍ତି।

ଓଡ଼ିଶା ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ଆନ୍ଧ୍ରର ଅନୁପ୍ରବେଶ ଯଥେଷ୍ଟ କମିଛି। କିନ୍ତୁ କୋଟିଆ ମୋହ ତୁଟିନାହିଁ। ଏଥିପାଇଁ ଓଡ଼ିଶା ବି‌ରୋଧୀ ଅଭିଯାନକୁ ନୂଆ ରଣନୀତିରେ ଜୋର୍‌ଦାର କରିଛି। ପୂର୍ବରୁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ‌‌ଏଜେଣ୍ଟଙ୍କୁ ଆନ୍ଧ୍ର ନିୟୋଜିତ କରିଥିଲା। ଏହି ‌‌ଏଜେଣ୍ଟମାନେ ଓଡ଼ିଶାରେ ରହୁଥିଲେ ସୁଦ୍ଧା ଆନ୍ଧ୍ରରୁ ଟଙ୍କା ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଥିଲେ। ବର୍ତ୍ତମାନ ପ୍ରତି ୨୦ଟି ଘର ପାଇଁ ଜଣେ ଲେଖାଏଁ ଏଜେଣ୍ଟ ନିଯୁକ୍ତି ପାଇଛନ୍ତି। ନିଜ ଅଧୀନରେ ରହିଥିବା ଘରେ କିଭଳି ଆନ୍ଧ୍ର ସରକାରଙ୍କ ସମସ୍ତ ଯୋଜନା ପହଞ୍ଚିବ ତାହାକୁ ନିଶ୍ଚିତ କରୁଛନ୍ତି ଏହି ଏଜେଣ୍ଟ। ସେହିପରି ଆନ୍ଧ୍ରର ସରକାରୀ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକାଠି କରିବା ଦାୟିତ୍ବ ଏହି ଏଜେଣ୍ଟଙ୍କୁ ଦିଆଯାଇଛି। ଗଳାବାଟରେ ଆନ୍ଧ୍ର ଏଜେଣ୍ଟଙ୍କୁ କୋଟିଆ ଆଣିବାରେ ଏମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ ଆନ୍ଧ୍ରର ଅନୁପ୍ରବେଶ ସଂପର୍କରେ ଓଡ଼ିଶା ପ୍ରଶାସନ କୌଣସି ଖବର ପାଉନାହିଁ।

ବହୁ ଦିନ ଧରି ଓଡ଼ିଶା ବିରୋଧୀ ଅଭିଯାନ ଚଳାଇଥିଲେ ସୁଦ୍ଧା ଏଜେଣ୍ଟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯାହାର ପ୍ରମାଣ ସୀମାନ୍ତ ଫାଟୁସିନେରି ଗାଁରେ ମିଳିଛି। ଆନ୍ଧ୍ର ସରକାରୀ କର୍ମଚାରୀଙ୍କୁ କିଛି ଦିନ ତଳେ ବ୍ଲକ ପ୍ରଶାସନ ତଡ଼ିବା ପରେ ଆଜି ଆନ୍ଧ୍ର ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଫାଟୁସିନେରି ଗାଁରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଫଗୁଣସିନେରି, ହରମାଣ୍ଡାଙ୍ଗି, ମାଡକାର, ମହିପାଣି ଭଳି ୭ଟି ଗାଁର ଲୋକଙ୍କୁ ଏକାଠି କରିଥିଲେ ଏଜେଣ୍ଟ। ଆନ୍ଧ୍ରର ଯୋଜନା ବିଷୟରେ ଖୋଲାଖୋଲି ଆଲୋଚନା ହୋଇଥିଲେ। କାଳେ ଓଡ଼ିଶା ପ୍ରଶାସନ ପକ୍ଷରୁ ବିରୋଧ ହେବ ବୋଲି ଅନୁମାନ କରି ଆନ୍ଧ୍ରର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଯୋଗ ଦେଇନଥିଲେ। କିନ୍ତୁ ଏଜେଣ୍ଟଙ୍କ ଜରିଆରେ ଆନ୍ଧ୍ର ସରକାରଙ୍କ ବାର୍ତ୍ତାକୁ ଏଠାରେ ଦିଆଯାଇଥିଲା।ସେହିପରି ଏଜେଣ୍ଟମାନେ ଓଡ଼ିଶା ସରକାରଙ୍କ ବିରୋଧରେ କହିବାକୁ ପଛାଇ ନଥିଲେ। ଦୁଇ ଦିନ ତଳେ ବ୍ଲକ ପ୍ରଶାସନ ପକ୍ଷରୁ ଲାଗିଥିବା ଗୋଟିଏ ନାମଫଳକକୁ ମଧ୍ୟ ଲୋକଙ୍କ ସାମନାରେ ଭାଙ୍ଗିଥିଲେ। ଓଡ଼ିଶା ସରକାରଙ୍କ ଏଠାରେ କୌଣସି ପ୍ରଭାବ ନଥିବା ଦର୍ଶାଇବା ଲାଗି ଏଜେଣ୍ଟ ଏଭଳି କାମ କରିଥିଲେ। ସରକାର ଯଦି ଏଭଳି ଘଟଣାରେ ଅଙ୍କୁଶ ଲଗାଇବେ ନାହିଁ ତେବେ ଆଗକୁ ପରିସ୍ଥିତି ବିଷମ ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି।

Leave a Reply

Your email address will not be published. Required fields are marked *