କୋଣାର୍କ, ୯/୧୨: ସୂର୍ଯ୍ୟମନ୍ଦିର କେତେ ସୁରକ୍ଷିତ ? ମନ୍ଦିରର ଗର୍ଭଗୃହରୁ ବାଲି କଢ଼ାଗଲେ ଏହା ସୁରକ୍ଷିତ ରହିବ କି ନାହିଁ ? ଏହାକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)ର ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍ ଆରମ୍ଭ କରିଛି ପରୀକ୍ଷାନିରୀକ୍ଷା। ଗତକାଲି ମନ୍ଦିରର ୮୦ ଫୁଟ ଉଚ୍ଚରେ ଡ୍ରିଲିଂ ଆରମ୍ଭ ହୋଇଥିଲା। ଆଜିସୁଦ୍ଧା ମନ୍ଦିର କାନ୍ଥକୁ ୨୬ ଫୁଟରୁ ଅଧିକ (୮ ମିଟର) ଡ୍ରିଲିଂ ପରେ ବାଲି ସ୍ତରକୁ ଛୁଇଁଥିଲା ମେସିନ୍। ତେଣୁ ମନ୍ଦିର କାନ୍ଥର ଚଉଡ଼ା ବା ମୋଟେଇ ୨୬ ଫୁଟରୁ ଅଧିକ ବୋଲି ଜଣାପଡ଼ିଥିବା ବେଳେ ମନ୍ଦିର ଭିତରୁ ସଂଗୃହୀତ ବାଲି ଓ ପଥରକୁ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସକୁ ପଠାଯାଇଥିବା ସୂଚନା ମିଳିଛି।
ଗତ ରବିବାରଠାରୁ ସୂର୍ଯ୍ୟମନ୍ଦିରର ୮୦ ଫୁଟ ଉପର ବେଢ଼ାରେ ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ କୁମାର ଖମାରୀ, ପୂର୍ବତନ ଡିଜି ଏକେ ବାସା ଓ ଆଇଆଇଟି ମାଡ୍ରାସର ବିଶେଷଜ୍ଞ ଅରୁଣ ମେନନ ସମେତ ୧୦ ଜଣିଆ ଇଞ୍ଜିନିୟର, ବୈଷୟିକ କୋର୍ କମିଟି ଦ୍ୱାରା ଗର୍ଭଗୃହର ସ୍ଥିତିକୁ ଅନୁଧ୍ୟାନ କରିବାପାଇଁ ପଶ୍ଚିମପାର୍ଶ୍ୱ କାନ୍ଥକୁ ସ୍ୱତନ୍ତ୍ର ତଥା ଅତ୍ୟାଧୁନିକ ଡ୍ରିଲ୍ ମାଧ୍ୟମରେ ୧୬ ସେଣ୍ଟିମିଟର ଚଉଡ଼ାରେ ପଥରକୁ କାଟି ଟନେଲ୍ ଖୋଳା ଆରମ୍ଭ କରିଥିଲେ। ଆଜି ଏହା ଶେଷ ହୋଇଛି। ୮ମିଟର ଖୋଳିବା ପରେ ଗର୍ଭଗୃହର ବାଲି ମିଳିଥିଲା। ବୈଷୟିକ ଟିମ୍ ଗର୍ଭଗୃହରୁ ସଂଗ୍ରହ କରିଥିବା ବାଲି ଓ ମନ୍ଦିର ଗର୍ଭଗୃହର କିଛି ପଥର ଆଇଆଇଟି ମାଡ୍ରାସ ଲ୍ୟାବ୍କୁ ପରୀକ୍ଷା ପାଇଁ ପଠାଇଛନ୍ତି। ଏହାର ପରୀକ୍ଷା ରିପୋର୍ଟ ମିଳିବା ପରେ ମନ୍ଦିରର ଗର୍ଭଗୃହ କେତେ ସୁରକ୍ଷିତ ଅଛି ତାହାକୁ ଟିକିନିଖି ଅନୁଧ୍ୟାନ କରାଯିବ
