ମାଲକାନଗିରି, ୯/୧୨: ମାଲକାନଗିରି ଜିଲ୍ଲାର ଏମଭି-୨୬ ଗ୍ରାମରେ ଗତକାଲି ଏବଂ ସୋମବାର ହଜାର ହଜାର ଆଦିବାସୀ ଗାଁରେ ନିଆଁ ଲଗାଇ ସବୁ ଛାରଖାର କରିଦେଇଛନ୍ତି। ଏଥିରୁ ଗାଁର ଗୋଟିଏ ବି ଘର ବର୍ତ୍ତି ନାହିଁ।
ଲୋକେ ଭୟରେ ଗାଁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ପୁଲିସ ଏଠାରେ ଦେଖଣାହାରୀ ହୋଇ ରହିଯାଇଥିଲା। କିଛି କରିବା ପୂର୍ବରୁ ହଜାର ହଜାର ଲୋକଙ୍କ ଉଗ୍ରରୂପ ସମସ୍ତଙ୍କୁ ଭୟଭୀତ କରିଥିଲା।
ତେବେ ଗୋଟିଏ ପଟେ ଆଦିବାସୀ ମେଳି କରି ବୈଠକ କରୁଥିବା ବେଳେ ଏହି ଘଟଣା ପରେ ବଙ୍ଗୀୟ ସମ୍ପ୍ରଦାୟର ଲୋକେ ଏମଭି-୩ ଠାରେ ଏକତ୍ରିତ ହୋଇ ମେଳି କରିଥିଲେ। ପ୍ରକାଶ ଥାଉକି ଏମଭି-୨୬ ଗ୍ରାମଟି ବଙ୍ଗୀୟ ଗ୍ରାମ ହୋଇଥିବା ବେଳେ ଏହି ଗ୍ରାମର ଲୋକେ ହିଁ ରାଖାଲଗୁଡାର ମହିଳା ଲାକେ ପଡିଆମିଙ୍କୁ ହତ୍ୟା କରିଛନ୍ତି। ଜିଲ୍ଲାରେ ଉତ୍ତେଜନା ଧିରେ ଧିରେ ବଢୁଥିବାରୁ ପ୍ରଶାସନ ତରଫରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବ୍ୟବସ୍ଥା ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସାରା ଜିଲ୍ଲାରେ ଏବେ ଏହି ଘଟଣା ପ୍ରଚାର ହେବା ସହ ଲୋକେ ଦୁଇ ଗୋଷ୍ଠୀରେ ପରିଣତ ହୋଇଛି।
ତେଣୁ ଆଗକୁ କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଇଣ୍ଟରନେଟ୍ କାଟି ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।
