ଭୁବନେଶ୍ବର, ୧୯/୧୨: ପୁଲିସ ସବ୍ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଜାଲିଆତି ଘଟଣାର ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ସିବିଆଇ। ଏହି ଘଟଣାର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି, ସିଲିକନ ଟେକ୍ଲାବ୍ ନିର୍ଦେଶକ ସୁରେଶ ନାୟକ ଓ ସାଗର ଗୌଡ଼କୁ ଶୁକ୍ରବାରଠାରୁ ୪ଦିନିଆ ରିମାଣ୍ଡରେ ନେବାକୁ ସ୍ବତନ୍ତ୍ର ସିବିଆଇ ଅଦାଲତ ଅନୁମତି ଦେଇଛନ୍ତି। ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା। ଏହି ୩ ଅଭିଯୁକ୍ତ ଏସ୍ଆଇ ଅନିୟମିତତାର ମୁଖ୍ୟ ଖଳନାୟକ। ବିଶେଷକରି ଶଙ୍କରଠାରୁ ୧୦୦୦ କୋଟି ଟଙ୍କା ଡିଲ୍, ପ୍ରଚ୍ଛଦପଟରେ ଥିବା ବ୍ୟକ୍ତିଙ୍କ ଭୂମିକା ସାମ୍ନାକୁ ଆଣିବାକୁ ଯୋଜନା କରୁଛି ତଦନ୍ତକାରୀ ଦଳ। ଅନ୍ୟ ଦଲାଲଙ୍କଠାରୁ ସଂଗ୍ରହ କରିଥିବା ତଥ୍ୟକୁ ନେଇ ଶଙ୍କର ପେସାଦାର ଅପରାଧୀ ବୋଲି ସିବିଆଇ ଅଦାଲତରେ ଦର୍ଶାଇଛି। ଏହି ଗୋଟିଏ ପରୀକ୍ଷା ନୁହେଁ, ପୂର୍ବରୁ ହୋଇଥିବା ଏକାଧିକ ପରୀକ୍ଷାରେ ଶଙ୍କରର ଭୂମିକା ରହିଥିବା ଜଣାପଡ଼ିଛି। ଶଙ୍କରକୁ ପଚରାଉଚରା ପରେ ଅନେକ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସିବା ପରେ ବଡ଼ ବଡ଼ିଆଙ୍କ ପାଳି ପଡ଼ିବ। ଶଙ୍କର ଲିଙ୍କ୍ରେ ଥିବା କିମ୍ବା ସନ୍ଦେହଘେରରେ ଥିବା ବ୍ୟକ୍ତିଙ୍କୁ ହାଜର ହେବା ଲାଗି ସିବିଆଇ ସମନ କରିଛି। ଶଙ୍କର ସହ ସେମାନଙ୍କ ମୁହାଁମୁହିଁ ଜେରା କରାଯିବ।
ଏଥିସହ ସୁରେଶଠାରୁ ମଧ୍ୟ ଅନେକ ପ୍ରମାଣ ଯୋଗାଡ଼ କରିବ ସିବିଆଇ। ସୁରେଶ ଓ ଶଙ୍କର କିଭଳି ଷଡ଼ଯନ୍ତ୍ର କରିଥିଲେ ଓ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ଉଭୟଙ୍କୁ ସାମ୍ନାସାମ୍ନି ଜେରା କରାଯିବ। ପ୍ରଶ୍ନପତ୍ର ଛାପା ଓ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ବା ଟ୍ରାନ୍ସପୋର୍ଟ ଦାୟିତ୍ବ ସୁରେଶ ସଂସ୍ଥା ସିଲିକନ୍ ଟେକ୍ ଲାବ୍ ନେଇଥିଲା। ଏହି ବଡ଼ଧରଣ ଅନିୟମିତତା କରି ଟଙ୍କା ଆତ୍ମସାତ କରିବାକୁ ପରସ୍ପର ଯୋଜନା ରଚିଥିଲେ। ଶଙ୍କରର ଦଲାଲ ନେଟୱର୍କ ଥିବାରୁ ସେହି ଆଧାର କରି ମୋଟା ଅଙ୍କର ଟଙ୍କା ହାତେଇବା ଷଡ଼ଯନ୍ତ୍ର ହୋଇଥିଲା। ଶଙ୍କରକୁ ନିଜେ ଘରେ ଆଶ୍ରୟ ଦେବା ସହ ନେପାଳ ସୀମାନ୍ତ ଉତ୍ତରାଖଣ୍ଡ କୁ ଖସାଇବାରେ ବଡ଼ ଭୂମିକା ମଧ୍ୟ ନେଇଥିଲା ସୁରେଶ। ସେହିଭଳି ଶଙ୍କରର ପ୍ରମୁଖ ସହଯୋଗୀ ତଥା କେୟାରଟେକର ଥିଲା ସାଗର। କଲକାତା ଦୀଘାରେ ହେବାକୁ ଥିବା ପରୀକ୍ଷାର ସାଗର ଥିଲା ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ୩ ଅଭିଯୁକ୍ତକୁ ହେପାଜତରେ ରଖି ବଡ଼ଧରଣ ଖୁଲାସା କରିବାକୁ ଯୋଜନା କରୁଛି ସିବିଆଇ।
ଅନୁରୂପ ଭାବେ ଗିରଫ ପରୀକ୍ଷାର୍ଥୀ ଓ ଦଲାଲଙ୍କଠାରୁ ଜବତ କରାଯାଇଥିବା ୧୩୩ଟି ମୋବାଇଲ ଫୋନ୍କୁ ସିବିଆଇ ନେଇଛି। ସ୍ବତନ୍ତ୍ର ସିବିଆଇ ଅଦାଲତ ଅନୁମତି ଦେବା ପରେ ୧୩୩ଟି ଫୋନ୍କୁ ନେଇ ସିବିଆଇ ନିଜସ୍ବ ଫୋରେନ୍ସିକ ବିଭାଗକୁ ପଠାଇଛି। ସପ୍ତାହେ ଭିତରେ ଡିଲିଟ୍ ହୋଇଥିବା ଚାଟିଂକୁ ରିକଭରି କରିବ। ପରେ ସମସ୍ତ ଚାଟ୍କୁ ଏକ ଫୋଲ୍ଡର୍ କରି ଅଦାଲତରେ ପ୍ରମାଣସ୍ବରୂପ ଦାଖଲ କରିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ପରୀକ୍ଷାର୍ଥୀମାନେ ଆଉ କାହା ସହ ଯୋଗାଯୋଗରେ ଥିଲେ, ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ନା ଚାକିରି ପିଛା ଅଧିକ ଟଙ୍କାରେ ଡିଲ୍ ହୋଇଥିଲା ସମସ୍ତ ସୁରାକ୍ ଖୋଜୁଛି ତଦନ୍ତକାରୀ ଦଳ। ସେପଟେ ସିବିଆଇ ଦ୍ବାରା ଗିରଫ ହୋଇଥିବା ବିରଞ୍ଚି ନାୟକର ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ଆସନ୍ତା ଜାନୁଆରୀ ୨ରେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଜଣାପଡ଼ିଛି। ସିବିଆଇ ମାମଲାର କେସ୍ ଡାଏରୀ ଦାଖଲ କରିନଥିବାରୁ ଶୁଣାଣି ଘୁଞ୍ଚିଥିବା ଜଣାପଡ଼ିଛି।
