ମାହାଙ୍ଗା, ୧୯ /୧୨: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସାହାପୁର ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ିଆ ସରକାରୀ ବିଦ୍ୟାଳୟ ସମୁହର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପୁରସ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଏହି ଉତ୍ସବରେ ବିଶିଷ୍ଟ ଅତିଥିଭାବେ ଯୋଗଦେଇଥିଲେ l ଶ୍ରୀ ମହାନ୍ତି କହିଲେ ଆଜିର ବିଦ୍ୟାର୍ଥୀ ମାନେ ଭଲ ପଢିବା ଏବଂ ଭଲ ଖେଳିବା ସହିତ,ସେମାନଙ୍କ ଭିତରେ ସେବା ଓ ସହିଷ୍ଣୁତା ମନୋଭାବ ତିଆରି କରିବାରେ ଶିକ୍ଷକ ଓ ଅଭିଭାବକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ସାହାପୁର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଶାରଦା ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ସତ ମାର୍ଗରେ ଚାଲିବାପାଇଁ ପରାମର୍ଶ ଦେଇଥିଲେ l ଉତ୍ସବରରେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ପଣ୍ଡିତ ଅକ୍ଷୟ କୁମାର ପାଣି ଯୋଗଦେଇଥିଲେ l ଶିକ୍ଷାବିତ ତଥା ପୂର୍ବତନ ବିଆରସିସି ଚୈତନ୍ୟ ଚରଣ ଦାସ ଏବଂ ଚଷାଖଣ୍ଡ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ମନୋରଞ୍ଜନ ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ,ଅଧ୍ୟୟନ ସହିତ ପିଲାମାନଙ୍କ ଭିତରେ କ୍ରୀଡାପ୍ରତି ଥିବା ଆଗ୍ରହକୁ ପ୍ରଶଂସା କରିଥିଲେ l ସମାଜସେବୀ ଶଶିଭୂଷଣ ମହାନ୍ତି, ସାମାଜିକକର୍ମୀ ସମରେନ୍ଦ୍ର ମହାନ୍ତି, ଯୁବ ସଂଗଠକ କଳିଙ୍ଗ କେଶରୀ ମହାନ୍ତି ପ୍ରମୁଖ ଉତ୍ସବରେ ସମ୍ମାନିତ ବକ୍ତାଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁ ସଂଚାଳନ କରିଥିବା ବେଳେ, ଶିକ୍ଷୟିତ୍ରୀ ରଂଜିତା ମହାନ୍ତି,ଶିକ୍ଷୟିତ୍ରୀ ଶକୁନ୍ତଳା ସିଂ,ଶିକ୍ଷକ ବିମଳ କୁମାର ଜେନା,ଶିକ୍ଷକ ସୌମ୍ୟ ରଞ୍ଜନ ପଣ୍ଡା,ଶିକ୍ଷକ ଉଦୟ ନାଥ ସ୍ୱାଇଁ,ଶିକ୍ଷୟିତ୍ରୀ ବନିତା ବରାଳ,ଶିକ୍ଷକ ମନମୋହନ ଦାସ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ l ବିଦ୍ୟାଳୟ ପ୍ରାଙ୍ଗଣରେ ୩ ଦିନ ବ୍ୟାପୀ ଆୟୋଜିତ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଭଗନେଇ କୃତୀତ୍ୱ ଅର୍ଜ୍ଜନ କରିଥିବା ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ, ସଂଗୀତ ଏବଂ ଅଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ଉତ୍ସବରେ ବହୁ ବୁଦ୍ଧିଜୀବୀ, ଅଭିଭାବକ, ଶିକ୍ଷକ ତଥା ସାଧାରଣ ଗ୍ରାମବାସୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l
