ଭୁବନେଶ୍ଵର, ୨୭/୧୨ ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର । ଚାଳକଙ୍କ ସୁବିଧା ପାଇଁ ଗାଡିରେ ଗ୍ରୀନ ଷ୍ଟିକର ଲଗାଇବାକୁ ନିଷ୍ପତ୍ତି ନେଇଛି ପରିବହନ ମନ୍ତ୍ରୀ । ଏହାସହ ୨୦୧୯ ରୁ ବର୍ଦ୍ଧିତ ଜୋରିମାନାର ହାର ମଧ୍ୟ କମାଇବାକୁ ସରକାର ଆଲୋଚନା କରୁଥିବା କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ରାଜ୍ୟରେ ଗାଡ଼ିଗୁଡିକ ପାଇଁ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ବ ପିୟୁସିସି ବାଧ୍ୟତାମୂଳକ କରିଥିଲେ ରାଜ୍ୟ ସରକାର । ବିଶେଷକରି ଇନ୍ଧନ ପକାଇବା ସମୟରେ ଏହା ବାଧ୍ୟତାମୂଳକ ଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ଗାଡ଼ି ଚାଳକ । ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା । ଗାଡିରେ ଗ୍ରୀନ ଷ୍ଟିକର ଲାଗିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ପ୍ରଦୂଷଣ ଯାଞ୍ଚ ସରିଥିବା ସମସ୍ତ ଗାଡିରେ ଗ୍ରୀନ ଷ୍ଟିକର ଲାଗିବ । ଏହି ଗ୍ରୀନ ଷ୍ଟିକର ପରିବହନ ବିଭାଗ ପକ୍ଷରୁ ଚାଳକଙ୍କୁ ଯୋଗାଇ ଦିଆଯିବ । ଯେଉଁ ଗାଡିରେ ପ୍ରଦୂଷଣ ପ୍ରମାଣ ପତ୍ର ନଥିବ ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପିୟୁସିସି ନିୟମ ଲାଗୁ ତାରିଖ ଘୁଞ୍ଚାଇବାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ସଡ଼କ ସୁରକ୍ଷା ମାସ ଥିବାରୁ ପିୟୁସିସି କୋହଳ କରାଯାଇଛି । ଏହାସହ ୨୦୧୯ ରୁ ବର୍ଦ୍ଧିତ ଜୋରିମାନା ମଧ୍ୟ କୋହଳ କରିବାକୁ ତର୍ଜମା କରାଯିବ । ଅନ୍ୟ ରାଜ୍ୟରେ ଜୋରିମାନ ସହ ଓଡ଼ିଶାର ଜୋରିମାନା ରାଶି ତୁଳନା କରି ତର୍ଜମା କରିବୁ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି ନୂଆ ଓ ପୁରୁଣା ସବୁ ଗାଡ଼ିକୁ ପ୍ରମାଣ ମିଳୁଥିବାରୁ ଘାଟଣା ତର୍ଜମା କରାଯାଉଛି ଏବଂ ଯେଉଁ ଗାଡ଼ିରୁ ଜୋରିମାନା ଆଦାୟ ସରିଛି ତାହାର ମଧ୍ୟ ବିଚାର କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।
ଗାଡି ଗୁଡିକରେ ଇନ୍ଧନ ପକାଇବା ସମୟରେ ପିୟୁସିସି ବାଧ୍ୟତାମୂଳକ କରାଯାଇଥିଲା । ଏନେଇ ପେଟ୍ରୋଲ ପମ୍ପ ଗୁଡିକରେ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଅନେକ ଗାଡ଼ିଚାଳକ ଚିନ୍ତାରେ ଥିଲେ । ଏପରିକି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ ମଧ୍ୟ କରାଯାଇଥିଲା । ଯାହାକୁ ନେଇ ସରକାର ଏହି ନିୟମ ଲାଗୁ ହେବାର ତାରିଖ ବଦଳାଇଥିଲେ । କିନ୍ତୁ ପେଟ୍ରୋଲ ପମ୍ପ ଗୁଡିକରେ ପିୟୁସିସି ଦେଖାଇ ଇନ୍ଧନ ପକାଇବା ସମୟରେ ଲମ୍ବା ଧାଡ଼ି ଓ ସମୟ ଅପଚୟର ଅଭିଯୋଗ ଆଣିଥିଲେ ଚାଳକ । ଯାହାକୁ ନେଇ ବଡ଼ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ।
