୩ କୋଟିର ବୀମା ରାଶି, ସରକାରୀ ଚାକିରି ପାଇଁ ସର୍ପ ଦଂଶନ କରାଇ ବାପାକୁ ହତ୍ୟା

ଅପରାଧ ଦେଶବିଦେଶ
Spread the love

ତାମିଲନାଡୁ, ୨୯/୧୨: ଟଙ୍କା ଏବଂ ବାପାର ଚାକିରି ହାତେଇବା ପାଇଁ ପୁଅ କେଉଁଭଳି ସ୍ତରକୁ ଖସିଯାଇପାରେ ତାହା ତାମିଲନାଡୁରେ ଘଟିଥିବା ଏକ ହତ୍ୟାକାଣ୍ଡରୁ ସାମ୍ନାକୁ ଆସିଛି। ୩ କୋଟି ଟଙ୍କାର ବୀମା ରାଶି ଏବଂ ବାପାର ସରକାରୀ ଚାକିରି ପାଇବା ନିଶାରେ ପୁଅ ବାପାକୁ ହତ୍ୟା କରିଛି। ତାହା ପୁଣି ସର୍ପ ଦଂଶନ କରାଇ।ଗତ ଅକ୍ଟୋବର ୨୨ରେ ତାମିଲନାଡୁର ତିରୁଭଲ୍ଲୁର ନିକଟ ପୋଥରଥୁରପେଟ୍ଟଇ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ୫୬ ବର୍ଷୀୟ ଗଣୋ। ସେ ଏକ ସରକାରୀ ସଂସ୍ଥାରେ ଲାବ୍ ଆସିଷ୍ଟାଣ୍ଟ ପଦବୀରେ ଚାକିରି କରୁଥିଲେ। ସେ ରାତିରେ ଶୋଇଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ବେକକୁ ସର୍ପ ଦଂଶନ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହା ଏକ ଅପମୃତ୍ୟୁ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା। କିନ୍ତୁ ବୀମା କମ୍ପାନୀଗୁଡ଼ିକ ବୀମା ରାଶି ଦେବା ପୂର୍ବରୁ ଯାଞ୍ଚ କରିବା ସମୟରେ ଗଣେଶଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ସେତେବେଳେ ପୁଲିସକୁ ବି ସନ୍ଦେହ ହୋଇଥିଲା। ଯାଞ୍ଚରୁ ଜଣାପଡ଼ିଥିଲା ଯେ ଗଣେଶ ନିଜ ନାମରେ ୧୧ଟି ବୀମା ପଲିସି କରିଥିଲେ, ଯାହାର ମୂଲ୍ୟ ଥିଲା ପ୍ରାୟ ୩ କୋଟି ଟଙ୍କା।

ପୁଲିସ ଏହା ବି ଜାଣିବାକୁ ପାଇଥିଲା ଯେ, ମୃତ୍ୟୁର କିଛି ସପ୍ତାହ ପୂର୍ବରୁ ଗଣେଶଙ୍କର ଏକ ଦୁର୍ଘଟଣା ହୋଇଥିଲା, ଯେଉଁଥିରୁ ପୁଲିସର ସନ୍ଦେହ ଆହୁରି ବଢ଼ିଥିଲା। ଏହା ପରେ ପୁଲିସ କଲ୍‌ ତଥ୍ୟ ଯାଞ୍ଚ କରିଥିଲା। ସେଥିରୁ ଗଣେଶଙ୍କ ପୁଅ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ କଥାବାର୍ତ୍ତାର ପ୍ରମାଣ ମିଳିଥିଲା।ବୈଷୟିକ ପ୍ରମାଣ ଏବଂ ବାରମ୍ବାର ଜେରା ପରେ ପୁଲିସ ଗଣେଶଙ୍କ ୨ ପୁଅ ସମେତ ମୋଟ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ପୁଅ ସର୍ପ ଦଂଶନ କରାଇ ନିଜ ବାପାକୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *