ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲା ନଗଦ ୭୨ ଲକ୍ଷ

ଅପରାଧ କଟକ ରାଜ୍ୟ
Spread the love

ବାରଙ୍ଗ, ୩୧/୧୨: ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି କଟକ ଜିଲ୍ଲା ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା। ଶ୍ରୀ ପଣ୍ଡାଙ୍କର ସଂପତ୍ତି ଭିଜିଲାନ୍‌ସକୁ ଚକିତ କରିଛି। ବର୍ତ୍ତମାନ ସୁଦ୍ଧା ଠାବ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଆହୁରି ତିନୋଟି ବ୍ୟାଙ୍କ ଲକର୍ ଏଯାଏଁ ଖୋଲାଯାଇ ନାହିଁ। ଭିଜିଲାନ୍ସ ଟିମ୍ କଟକ, ଭୁୁବନେଶ୍ବର, ଖୋର୍ଦ୍ଧାରେ ଚଢ଼ଉ ଜାରି ରଖିଛି। ଶ୍ରୀ ପଣ୍ଡାଙ୍କୁ ଧରିବାକୁ ଭିଜିଲାନ୍ସର ୪ଟି ଟିମ୍ ଗଠନ ହୋଇଥିଲା। ଭୁବନେଶ୍ବର ଭିଜିଲାନ୍ସ ସ୍ପେସାଲ୍‌ ଜଜ୍‌ଙ୍କ କୋର୍ଟରୁ ସର୍ଚ୍ଚ ଵାରେଣ୍ଟ ଜାରି ପରେ ଆଜି ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଭୁବନେଶ୍ବର ବଡ଼ଗଡ଼ ଥାନା ଗୋପାଳୁଣିନଗର ଅଞ୍ଚଳରେ ୪ ହଜାର ବର୍ଗଫୁଟର ତିନି ମହଲା କୋଠା, ବ୍ରିଟ୍‌ କଲୋନିରେ ତିନି ମହଲା କୋଠା, ଉତ୍ତରାରେ ୧୨୫୦ ବର୍ଗଫୁଟର ଫ୍ଲାଟ୍, ଖୋର୍ଦ୍ଧା ସାନପଲ୍ଲାରେ ୪୮୦୦ ବର୍ଗଫୁଟରେ ଦୁଇ ମହଲା କୋଠା, ଭୁବନେଶ୍ବରରେ ତିନିଟି ଓ ଖୋର୍ଦ୍ଧାରେ ଗୋଟିଏ ମୂଲ୍ୟବାନ ପ୍ଲଟ୍‌, ୫୦୦ ଗ୍ରାମର ସୁନା ଅଳଙ୍କାର, ଶାଶୂ ଓ ପତ୍ନୀଙ୍କ ନାଁରେ ତିନୋଟି ବ୍ୟାଙ୍କ ଲକର୍‌, ନଗଦ ୭୨ ଲକ୍ଷ ୨୦ ହଜାର ୯୨୦ ଟଙ୍କା, ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା, ଗୋଟିଏ ଚାରିଚକିଆ ଗାଡ଼ି, ୪ଟି ଦୁଇଚକିଆ ଗାଡ଼ି(ମୋଟ ମୂଲ୍ୟ ୨୩ ଲକ୍ଷ ୪୧ ହଜାର ଟଙ୍କା) ଏବଂ ୧୬ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ ହୋଇଛି।

୧୦ କୋଟିର ସମ୍ପତ୍ତି ଠାବ ଖୋଲା ହୋଇନି ପତ୍ନୀ, ଶାଶୂଙ୍କ ୩ ଲକର୍‌ଭିଜିଲାନ୍ସର ତଥ୍ୟ ଅନୁଯାୟୀ, ଶ୍ରୀ ପଣ୍ଡା ୧୯୯୫ ନଭେମ୍ବର ୧୦ରେ କଟକରେ ଥିବା ପଶୁପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟରେ ବରିଷ୍ଠ ଲାବୋରେଟୋରି ଆସିଷ୍ଟାଣ୍ଟ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେ ଥଇଥାନ ଯୋଜନାରେ ସରକାରୀ ଚାକିରିକୁ ଆସିଥିଲେ। ୧୯୯୭ ଜୁଲାଇ ୧୫ରେ ସେ ଭୁବନେଶ୍ବରରେ ଥିବା ଓଡ଼ିଶା ବାୟୋଲୋଜିକାଲ୍‌ ପ୍ରଡକ୍ଟ ଇନ୍‌ଷ୍ଟିଚ୍ୟୁଟ୍‌କୁ ବଦଳି ହୋଇଥିଲେ। ୨୦୨୦ ଏପ୍ରିଲ୍‌ ୧୬ରେ ସେ ଓଆର୍‌ଏସ୍‌ ପାହ୍ୟାକୁ ପଦୋନ୍ନତି ପାଇଥିଲେ। ଭୁବନେଶ୍ବର ଜିଲ୍ଲା ସବ୍‌ରେଜିଷ୍ଟରଙ୍କ ଅଧୀନରେ ଟିଆର୍‌ଓ ଭାବେ ଯୋଗ ଦେଇଥିଲେ। ୨୦୨୧ ଫେବ୍ରୁଆରି ୨୬ରୁ ୨୦୨୩ ମାର୍ଚ୍ଚ ୧୧ ଯାଏଁ ସେ ପୁରୀ ଜିଲ୍ଲା ପିପିଲିର ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ। ୨୦୨୩ ମାର୍ଚ୍ଚ ୧୧ରୁ ଜୁଲାଇ ୧ ତାରିଖ ଯାଏଁ ପିପିଲିରେ ସବ୍‌ରେଜିଷ୍ଟର ଏବଂ ପରେ ୨୦୨୩ ଜୁଲାଇ ୧ରୁ କଟକ ଜିଲ୍ଲା ବାରଙ୍ଗ ଅତିରିକ୍ତ ତହସିଲଦାର ରହିଛନ୍ତି।

Leave a Reply

Your email address will not be published. Required fields are marked *