ଦୁଲଦୁଲି-୨୦୨୬ ପଲ୍ଲୀଶ୍ରୀ ଓ ସ୍ୱଦେଶୀ ମେଳାରେ ଐତିହାସିକ ବ୍ୟବସାୟ: ୫ ଦିନରେ ପ୍ରାୟ ୨.୭୮ କୋଟିର କାରବାର

ଝାରସୁଗୁଡ଼ା ରାଜ୍ୟ
Spread the love

ଝାରସୁଗୁଡା, ୯/୧: ଜିଲ୍ଲାର ପାରମ୍ପରିକ ଲୋକ କଳା ଓ ସଂସ୍କୃତିର ମହାକୁମ୍ଭ ‘ଦୁଲଦୁଲି-୨୦୨୬’ ଚଳିତ ବର୍ଷ ବାଣିଜ୍ୟିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ଓର୍ମାସର ମିଳିତ ଆନୁକୁଲ୍ୟରେ ଆୟୋଜିତ ‘ଦୁଲଦୁଲି-୨୦୨୬’ ପଲ୍ଲୀଶ୍ରୀ ମେଳା ଜାନୁଆରୀ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ବିଟିଏମ୍ ପଡ଼ିଆରେ ଅନୁଷ୍ଠିତ ଏହି ମହୋତ୍ସବରେ ପଲ୍ଲୀଶ୍ରୀ ଏବଂ ସ୍ୱଦେଶୀ ମେଳାର ସାମଗ୍ରିକ ବିକ୍ରି ଗତ ବର୍ଷ ତୁଳନାରେ ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୨୫ ମସିହାରେ ମୋଟ କାରବାର ୧.୫୦ କୋଟି ଟଙ୍କା ଥିବା ବେଳେ, ଏବର୍ଷ ଏହା ୨,୭୮,୦୮,୨୯୫ ଟଙ୍କାରେ ପହଞ୍ଚିଛି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ଦକ୍ଷ ବ୍ୟବସାୟ ଏବଂ ଗ୍ରାହକଙ୍କ ପ୍ରବଳ ଉତ୍ସାହ ଏହି ମେଳାକୁ ଏକ ସଫଳ ଆର୍ଥିକ ପେଣ୍ଠସ୍ଥଳୀରେ ପରିଣତ କରିବାରେ ସହାୟକ ହୋଇଛି।ମେଳାର ପ୍ରଥମ ଦିନରୁ ହିଁ ବିକ୍ରିର ଧାରା ଉର୍ଦ୍ଧ୍ୱମୁଖୀ ରହିଥିଲା। ତଥ୍ୟ ଅନୁଯାୟୀ, ପ୍ରଥମ ଦିନରେ ପ୍ରାୟ ୨୭,୨୮,୯୬୦ ଟଙ୍କାର କାରବାର ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଏହା ବୃଦ୍ଧି ପାଇ ୪୧,୬୭,୬୭୫ ଟଙ୍କା ହୋଇଥିଲା | ତୃତୀୟ ଓ ଚତୁର୍ଥ ଦିନରେ ବ୍ୟବସାୟ ଯଥାକ୍ରମେ ୫୧,୬୧,୦୨୦ ଏବଂ ୭୩,୭୦,୯୮୦ ଟଙ୍କାର ବ୍ୟବସାୟ ହୋଇଥିଲା। ମେଳାର ଅନ୍ତିମ ଦିନ ଅର୍ଥାତ୍ ୫ ଜାନୁଆରୀରେ ସର୍ବାଧିକ ୮୩,୭୯,୬୬୦ ଟଙ୍କାର ସାମଗ୍ରୀ ବିକ୍ରି ହୋଇ ଏକ ନୂଆ ରେକର୍ଡ ସ୍ଥାପନ କରିଛି। ମୋଟ ୨୩୦ଟି ଷ୍ଟଲ ମଧ୍ୟରୁ କେବଳ ପଲ୍ଲୀଶ୍ରୀ ମେଳାରୁ ୧.୭୨ କୋଟିରୁ ଅଧିକ ଏବଂ ସ୍ୱଦେଶୀ ମେଳାରୁ ପ୍ରାୟ ୩୩ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ପ୍ରାୟ ୨୫୦ଟି ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ୫୩୦ରୁ ଅଧିକ ମହିଳା ସଦସ୍ୟାଙ୍କ ହାତତିଆରି ସାମଗ୍ରୀ ଯେପରିକି କନ୍ଧମାଳର ହଳଦୀ, ରାୟଗଡାର ଝାଡୁ, ସମ୍ବଲପୁରୀ ହସ୍ତତନ୍ତ ଏବଂ ପୁରୀର ଚାନ୍ଦୁଆ ଭଳି ପାରମ୍ପରିକ ଉତ୍ପାଦ ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା | ଏହା ସହ ଉତ୍ତରପ୍ରଦେଶର କାଠ କାରୁକାର୍ଯ୍ୟ, ପଞ୍ଜାବର ଫୁଲକାରୀ, କାଶ୍ମୀରର ସିଲ୍କ ଏବଂ ଆସାମର ବାଉଁଶ ଶିଳ୍ପ ଭଳି ଆନ୍ତଃ-ରାଜ୍ୟ ଶିଳ୍ପକଳାର ସମାଗମ ଏହି ମେଳାକୁ ଏକ ‘ମିନି ଭାରତ’ର ରୂପ ଦେଇଥିଲା। ସ୍ୱଦେଶୀ ମେଳାରେ ଉପଲବ୍ଧ ଚକୁଳି, ଏଣ୍ଡୁରି ଓ ମଣ୍ଡା ପିଠା ଭଳି ଘରୋଇ ଖାଦ୍ୟ ମଧ୍ୟ ଭଲ ବ୍ୟବସାୟ କରିଥିଲା।

Leave a Reply

Your email address will not be published. Required fields are marked *