ତିର୍ତ୍ତୋଲ (ଝଙ୍କଡ଼) : ତିର୍ତ୍ତୋଲ ବ୍ଲକ ମୁଳିସିଂହ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପକ୍ଷରୁ ଗତ ଶୁକ୍ରବାର ଦିନ ବିଜ୍ଞାନ ମେଳା ଓ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ନିର୍ଦ୍ଦେଶକ ବିକ୍ରମ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଉପଲକ୍ଷେ ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ ରାଜକିଶୋର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜଗତସିଂହପୁର ସାରସ୍ୱତ ପରିଷଦର ସଭାପତି ତଥା ବିଶିଷ୍ଟ ବାଗ୍ମୀ ଓ ପ୍ରାକ୍ତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଭିନ୍ନ ବୈଜ୍ଞାନିକ ଉଦ୍ଭାବନ ଓ ଆବିଷ୍କାର ସମ୍ପର୍କରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଫି ଆଜମ୍ ଏବଂ ସମ୍ମାନିତ ଅତିଥି ଭାବେ ମାଧବେନ୍ଦ୍ର ଗୋଛାୟତ ଓ ଯୁବନେତା ଶୁଭ୍ରକାନ୍ତ ରଣା ପ୍ରମୁଖ ଯୋଗଦେଇ ମଞ୍ଚ ମଣ୍ଡନ କରିଥିଲେ।
ବିଜ୍ଞାନ ମେଳାରେ ବିଦ୍ୟାର୍ଥୀମାନେ ଶସ୍ୟର ବିଭିନ୍ନ ପ୍ରକାର, ବୃକ୍ଷ ଓ ମାନବ ଶରୀରର ବିଭିନ୍ନ ଅଂଶ ଏବଂ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଦି ବିଷୟବସ୍ତୁ ଉପରେ ଆଧାରିତ ଅନେକ ଜ୍ଞାନବର୍ଦ୍ଧକ ମଡେଲ ପ୍ରଦର୍ଶନ କରିଥିଲେ।
ଅପରପକ୍ଷରେ, ଅନୁଷ୍ଠାନର ବାର୍ଷିକ କ୍ରୀଡ଼ା ଉତ୍ସବର ଉଦଯାପନ ଅବସରରେ ଦୌଡ଼, ଆଳୁ-ଚାମଚ ଦୌଡ଼, ଚକୋଲେଟ୍ ଦୌଡ଼ ଓ ଗଣିତ ଦୌଡ଼ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର, ଶିଲ୍ଡ, କପ୍ ଓ ଉପଢୌକନ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣାଙ୍କ ସମେତ ଶିକ୍ଷୟିତ୍ରୀ ସୁଦେଷ୍ଣା ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ମିନତୀ ଦାସ, ପ୍ରିୟଙ୍କା ସେଠି, ସନ୍ଧ୍ୟାରାଣୀ ସାସମଲ, ଜସ୍ମିନ ବେହେରା ଏବଂ ଶିକ୍ଷକ ଅଶୋକ କୁମାର ବେହେରା ସକ୍ରିୟ ଭାବେ ପରିଚାଳନା କରିଥିଲେ। ଏହି ଉତ୍ସବରେ ବହୁ ଅଭିଭାବକ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
