ଝଙ୍କଡ଼, ୧୮/୦୧/୨୦୨୬: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମୂଳିସିଂହ-ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଗତ ରବିବାର ଦିନ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପ୍ରାଚୀନ ଭାରତର ଗୁରୁକୁଳ ଆଶ୍ରମ ଶିକ୍ଷା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳର ସମନ୍ୱୟ ରକ୍ଷା କରି ନୂତନ ଶିକ୍ଷାନୀତି ପ୍ରଚଳନ କରାଗଲେ ଆମର ଛାତ୍ରଛାତ୍ରୀମାନେ ସଂସ୍କାରିତ ହେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଆତ୍ମନିଯୁକ୍ତି ଲାଭ କରିପାରିବେ। ଯୁବ ସଙ୍ଗୀତ ନିର୍ଦ୍ଦେଶକ ମହେଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସ୍ତମ୍ଭକାର ତଥା ପ୍ରାକ୍ତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ପିଲାମାନଙ୍କୁ ଶିକ୍ଷା ସହ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟାପକ ଶାନ୍ତନୁ କୁମାର ଦାସ ଯୋଗଦେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ। ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସା ପତ୍ର ଓ ଶିଲ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଶିକ୍ଷୟିତ୍ରୀ ସୁଦେଷ୍ଣା ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ମିନତୀ ଦାସ, ପ୍ରିୟଙ୍କା ସେଠି, ସନ୍ଧ୍ୟାରାଣୀ ସାସମଲ ଓ ଜସ୍ମିନୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଶିତ ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ ଓ ଜନସାଧାରଣଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା। ଶେଷରେ ଶିକ୍ଷକ ଅଶୋକ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
