ଝଙ୍କଡ଼, ୧୮/୦୧/୨୦୨୬: ବାଣୀକ୍ଷେତ୍ର ଝଙ୍କଡ଼ ଶାରଳା ପୀଠର ମୁଖ୍ୟ ପ୍ରବେଶ ପଥରେ ଅବସ୍ଥିତ ଝଙ୍କଡ଼ ସତସଙ୍ଗ କେନ୍ଦ୍ର ପରିସରରେ ମାସିକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସର ତୃତୀୟ ରବିବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଓ ଗୁରୁଭାଇ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମୂହ ପ୍ରାର୍ଥନା ଓ ପ୍ରଣାମୀ ଅନୁଷ୍ଠିତ ହେବା ପରେ ଭକ୍ତିପୂତ ପରିବେଶରେ ଭଜନ କୀର୍ତ୍ତନ କରାଯାଇଥିଲା। ସମାଜରେ ଉତ୍ତମ ଚରିତ୍ର ଗଠନ ଏବଂ ବ୍ୟକ୍ତିର ବୌଦ୍ଧିକ ବିକାଶ ଲକ୍ଷ୍ୟରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ରିତ୍ତିକ ସାରଦା ପ୍ରସନ୍ନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ବିଷ୍ଣୁ ଚରଣ ସାହୁ, ପ୍ରଶାନ୍ତ ନାୟକ, ହେମନ୍ତ କୁମାର ନନ୍ଦ, ସଉରୀ କାନ୍ତ ପରିଜା ଏବଂ ସତ୍ୟବାନ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଆଲୋଚକମାନେ ବିଭିନ୍ନ ପୁରାଣ ଶାସ୍ତ୍ର ଓ ଆଧ୍ୟାତ୍ମିକ ଚେତନାର ଉଦାହରଣ ଦେଇ ମଣିଷ ଜୀବନରେ ସଂସ୍କାର ଓ ବୌଦ୍ଧିକ ବିକାଶର ଆବଶ୍ୟକତା ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଭାଇ ଓ ମାଆମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ। ଏହି ଆଧ୍ୟାତ୍ମିକ ପରିବେଶ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ମନରେ ଏକ ନୂତନ ଚେତନା ଜାଗ୍ରତ କରିଥିଲା।
