ସ୍ମୃତିର ବେଳାଭୂମିରେ ସାରଦା ଏକାଡେମୀର ୧୯୮୭ ବ୍ୟାଚ୍: ୩୮ ବର୍ଷ ପରେ ପୁଣି ଜମିଲା ବନ୍ଧୁମିଳନର ଆସର

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୧୮/୦୧/୨୦୨୬: ବାଣୀକ୍ଷେତ୍ର ଝଙ୍କଡ଼ର ପବିତ୍ର ଶାରଳା ପୀଠ କନକପୁରସ୍ଥିତ ଆଦର୍ଶ ଶିକ୍ଷାନୁଷ୍ଠାନ ସାରଦା ଏକାଡେମୀ ପରିସରରେ ଗତ ରବିବାର ଦିନ ୧୯୮୭ ମସିହା ମାଟ୍ରିକ ବ୍ୟାଚର ଚତୁର୍ଥ ବନ୍ଧୁମିଳନ ସମ୍ମେଳନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୮ ବର୍ଷର ବ୍ୟବଧାନ ପରେ ପୁରୁଣା ସହପାଠୀମାନେ ପରସ୍ପରକୁ ଭେଟି ଅତୀତର ସ୍ମୃତି ସାଉଁଟିବା ସହ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦିବଙ୍ଗତ ଶିକ୍ଷକ ଓ ସହପାଠୀମାନଙ୍କ ସ୍ମୃତି ଚାରଣ କରାଯାଇଥିଲା। ସେମାନଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଗୁରୁ ଶିଷ୍ୟ ପରମ୍ପରାକୁ ସମ୍ମାନ ଜଣାଇ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷାଗୁରୁ ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀ, ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଓ କାହ୍ନୁଚରଣ ଦାସଙ୍କ ସମେତ ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏସବିଆଇ ଲାଇଫର ଚିଫ୍ ମ୍ୟାନେଜର ଚିତ୍ତରଞ୍ଜନ ନାୟକ କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା କରିଥିବା ବେଳେ ସଂଗ୍ରାମ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର ଆୟୋଜନ ସଫଳ ହୋଇଥିଲା। ଏହି ସମ୍ମିଳନୀରେ ୧୯୮୭ ବ୍ୟାଚର ସହପାଠୀ ଅଶୋକ ମହାନ୍ତି, ଭାରତ ମହାନ୍ତି, ସୁଜାତା ହଁସଦା, ଶ୍ରୀମା ନାୟକ, ମମତା ବ୍ରହ୍ମ, କନକଲତା ଦାସ, ବୀରେନ୍ଦ୍ର ନାୟକ, ନିରଞ୍ଜନ ପଣ୍ଡା, ଦୀପକ ମହାନ୍ତି, ଧନେଶ୍ୱର ମହାନ୍ତି, ପ୍ରଭାତୀ ଲେଙ୍କା, ସୀମା ସାମଲ, ଧୀରେନ୍ଦ୍ର ସାହୁ, ଲୋକନାଥ ବିଶ୍ୱାଳ, ସଂଘମିତ୍ରା ସିଂହ, ରବିନାରାୟଣ ସ୍ୱାଇଁ, ମଞ୍ଜୁ ସେଠି, ଦୀପକ କୁମାର ଦାସ, ବିଶ୍ୱନାଥ ମହାନ୍ତି, ବିଭୂତି ସିଂହ ଓ ଶିଶିର ଜେନା ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଦୀର୍ଘ ବର୍ଷ ପରେ ପରସ୍ପରକୁ ପାଖରେ ପାଇ ସହପାଠୀମାନେ ନିଜ ନିଜର ଅତୀତର ଅନୁଭୂତି ଓ ସ୍କୁଲ ଦିନର ସ୍ମୃତି ବାଣ୍ଟିବା ବେଳେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ନାଚଗୀତର ଆସର ଜମିଥିଲା, ଯେଉଁଥିରେ ସମସ୍ତେ ବନ୍ଧୁତ୍ୱର ରଙ୍ଗରେ ହଜିଯାଇଥିଲେ। ଏହି ବନ୍ଧୁମିଳନ ଉତ୍ସବ ବନ୍ଧୁତ୍ୱର ଡୋରିକୁ ଆହୁରି ମଜବୁତ କରିବା ସହ ସ୍ମୃତି ହୋଇ ରହିବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *