ମମତାର ମହୋତ୍ସବ: ଢେଙ୍କାନାଳ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ସେବା ଓ ଆତ୍ମୀୟତାର ଅପୂର୍ବ ମିଳନ

ଜିଲା ଖବର ଢେଙ୍କାନାଳ
Spread the love

ଢେଙ୍କାନାଳ (ପ୍ରଦୀପ ଦାସ)  : ଏକ ମାତୃପ୍ରତିମ ଅନୁରାଗ, ଆତ୍ମୀୟତା ଆଉ ଆପଣପଣର ସ୍ପନ୍ଦନରେ ମୁଖର ହୋଇଉଠିଥିଲା ପରିବେଶ। ଢେଙ୍କାନାଳ ଜିଲ୍ଲା ସଦର ମହକୁମା ମହୁଲିପଡ଼ାସ୍ଥିତ ‘ବିଶ୍ୱ କୁନ୍ତଳ ଶିଶୁ ଗୃହ’ ପରିସରରେ ଅନୁଷ୍ଠିତ ହୋଇଯାଇଛି ‘ମମତାର ମହୋତ୍ସବ’। ଜୀବନ ଯନ୍ତ୍ରଣାର ବନ୍ଧୁର ରାସ୍ତାରେ ନିଜକୁ ଜଣେ ନିଃସଙ୍ଗ ପଦାତିକ ସଜାଇଥିବା ଏହି ଅନୁଷ୍ଠାନର ପରିଚାଳିକା ‘ମାମା ଅପା’, ନିଜର ସଂସାର ନଥାଇ ମଧ୍ୟ ପାଖାପାଖି ୫୦ ଜଣ ଶିଶୁ କିଶୋରଙ୍କୁ ନେଇ ଗଢ଼ିଛନ୍ତି ଏକ ବିରାଟ ପରିବାର। ଯଶୋଦାଙ୍କ ଭଳି ନିଜର ସ୍ନେହର ପଣତ କାନିରେ ସେ ଏହି କୁନି କୁନି ପିଲାଙ୍କ ଆଖିରେ ଭରିଦେଇଛନ୍ତି ଅମାପ ସ୍ୱପ୍ନ।

ଏହି ଅବସରରେ ‘କଲ୍ୟାଣୀ ଫାଉଣ୍ଡେସନ’  ପକ୍ଷରୁ ଏକ ବିଶାଳ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜସେବୀ ଓମ୍ ଭାଇ, ଅଭିମନ୍ୟୁ ସାହୁ ଏବଂ ଶିଶୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ବନୋଜ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ମାଗଣା ଔଷଧ ବିତରଣ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏଥିସହିତ ‘ଭୂମିକା ଚକ୍ଷୁ ଚିକିତ୍ସାଳୟ’ ପକ୍ଷରୁ ଅନ୍ତେବାସୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ନିଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାରର ବ୍ୟବସ୍ଥା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦାମୋଦର ବିଶ୍ୱାଳ ଓ ତାଙ୍କ ସହଧର୍ମିଣୀ ପ୍ରତିମା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନବାଧିକାର କର୍ମୀ ଓ ଭଏସ୍‌ ଅଫ କମନ୍‌ର କାର୍ଯ୍ୟନିର୍ବାହୀ ସଂପାଦକ ସତ୍ୟ ଦାସ, ଶିକ୍ଷାବିତ୍ ଅକ୍ଷୟ ବେହେରା, ରଶ୍ମୀରେଖା ବାରିକ,  ନଗରଖବରର ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ, ସମାଜସେବୀ ସୁନନ୍ଦା ମହାନ୍ତି, ସ୍ମିତାରାଣୀ ରାୟ, ଶିକ୍ଷୟିତ୍ରୀ ଚିନ୍ମୟୀ ସାହୁ ଏବଂ ଇଞ୍ଜିନିୟର ଜିତେନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

ସେବା ଓ ସହଯୋଗର ଏହି ମହାନ ପର୍ବରେ ପୂର୍ବତନ ବ୍ୟାଙ୍କ ପରିଚାଳିକା ସୁନନ୍ଦା ମହାନ୍ତି ପିଲାମାନଙ୍କ ପାଇଁ ତୁରନ୍ତ ଏକ ଆକ୍ୱାଗାର୍ଡ (ଜଳ ବିଶୋଧନ ଯନ୍ତ୍ର) ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | ସେହିପରି ପଞ୍ଚୁ ପାଣ୍ଡବ ଦାସ (ପ୍ରଭୁଜୀ) ଅନ୍ତେବାସୀଙ୍କୁ ନୂତନ ପୋଷାକ ପ୍ରଦାନ କରିବାକୁ କହିଥିଲେ | ଇଞ୍ଜିନିୟର ଜିତେନ୍ଦ୍ର ରଣା ପ୍ରସାଦ ସେବନର ସମସ୍ତ ଦାୟିତ୍ୱ ନେବା ସହ ଆଗାମୀ ଦିନରେ ପିଲାମାନଙ୍କ ସହ ଜଣେ ବଡ଼ ଭାଇ ଭଳି ସବୁବେଳେ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମାଜସେବୀ ମାତୃ ମହାପାତ୍ର, ଚନ୍ଦନ ପଣ୍ଡା, କୈଳାଶ ସ୍ୱାଇଁ ଓ ସଞ୍ଜିତ ବାରିକ ପ୍ରମୁଖଙ୍କ ସହଯୋଗରେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସୁରୁଖୁରୁରେ ସମାପ୍ତ ହୋଇଥିଲା। ଏହି ଅଭିନବ ପ୍ରୟାସ ଢେଙ୍କାନାଳ ଅଞ୍ଚଳରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *