ମାହାଙ୍ଗା: ମାହାଙ୍ଗା ବ୍ଲକ ବିରୂପା-ଗେଙ୍ଗୁଟି ଦ୍ୱୀପାଞ୍ଚଳର ବିଶିଷ୍ଟ ମୁରବୀ, ଗାନ୍ଧିବାଦୀ କର୍ମୀ ତଥା ଶତାୟୁ ପୁରୁଷ ରାଧାନାଥ ରାଉତଙ୍କ ଏକାଦଶାହ ତିଥି ଅବସରରେ ଧଉଳିଆ ଗ୍ରାମରେ ଏକ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ ଅଖିଳେଶ ପଦ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାଉତଙ୍କ ପରୋପକାରୀ ଗୁଣ ଏବଂ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।
ଏହି ସ୍ମୃତି ସମାରୋହରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଧାନାଥ ରାଉତଙ୍କ ଭଳି ଜଣେ ନିସ୍ୱାର୍ଥପର ଜନସେବକ ମାହାଙ୍ଗା ମାଟି ପାଇଁ ଗର୍ବ ଓ ଗୌରବ। ତାଙ୍କର ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଆୟକର କମିଶନର ଶୋଭନ କର ଯୋଗଦେଇ ସ୍ୱର୍ଗତ ରାଉତଙ୍କ ଗାନ୍ଧିବାଦୀ ଚିନ୍ତାଧାରାକୁ ପାଥେୟ କରି ଚାଲିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, କବି ପ୍ରଶାନ୍ତ କୁମାର କର, ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ଡକ୍ଟର ଭାବଗ୍ରାହୀ ରାଉତ, ପ୍ରଶାସନିକ ଅଧିକାରୀ ଅଲେଖ ଚନ୍ଦ୍ର ସାହୁ, କବି ନାରାୟଣ ମୁଦୁଲି, ଉପେନ୍ଦ୍ର ନାଥ ରଣା, ସୁବାସ ଚନ୍ଦ୍ର ବେହେରା, ହୃଷିକେଶ ସ୍ୱାଇଁ, ଅଫସର ତୁଲ୍ଲା, ହେମନ୍ତ ପ୍ରଧାନ, ବଟକୃଷ୍ଣ ଦାଶ, ବେଣୁଧର ସାମଲ, ଗୟାଧର ସାହୁ, ପ୍ରଭାକର ଦାସ, ନୃସିଂହ ସାହୁ ଏବଂ ଅନନ୍ତ ସାହୁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଚିନ୍ମୟ ସାମଲ, ଜଗନ୍ନାଥ ନାୟକ, ମାଗୁଣି ସାମଲ, ଗଣେଶ ବିହାରୀ ଏବଂ ଚନ୍ଦ୍ରମଣି ଧଳ ପ୍ରମୁଖ ପରିଚାଳନା କରିଥିଲେ। ସ୍ୱର୍ଗତ ରାଉତଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
