ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଦେଇ ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଲେ ଚାରି ଯୁବ ଭେଷଜ ବିଜ୍ଞାନୀ

କଟକ ରାଜ୍ୟ
Spread the love

କଟକ: ସମାଜସେବା କ୍ଷେତ୍ରରେ ଉତ୍କଳମଣି ଗୋପବନ୍ଧୁ ଦାସ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। “ରୋଗ ନିବାରଣ ଅପେକ୍ଷା ରୋଗର ନିରାକରଣ ସର୍ବାଦୌ ସ୍ପୃହଣୀୟ” – ଏହି ମନ୍ତ୍ରକୁ ପାଥେୟ କରି ଖୋର୍ଦ୍ଧା ଜିଲ୍ଲା କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମରେ ଚାରିଜଣ ଯୁବ ଭେଷଜ ବିଜ୍ଞାନୀ (ଥେରାପିଷ୍ଟ) ଏକ ଅନନ୍ୟ ସେବା କାର୍ଯ୍ୟ କରି ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଭୁବନେଶ୍ୱର ପଟିଆ ସ୍ଥିତ ‘ସିନାପ୍ସି ମଲ୍ଟିଡିସିପ୍ଲିନାରୀ ରିହାବ ସେଣ୍ଟର୍’ର ଚାରିଜଣ ବିଶେଷଜ୍ଞ ଡାକ୍ତର ରାକେଶ କୁମାର ସାହୁ, ଡାକ୍ତର ଆଶିଷ ସେଠୀ, ଡାକ୍ତର ଆକାଶ ସ୍ୱାଇଁ ଏବଂ ଡାକ୍ତର କାଜଲ ସିଂହ ନିଜ ପାଠପଢ଼ା ପରେ ଲୋକଙ୍କ ସେବାରେ ନିଜକୁ ବ୍ରତୀ କରିଛନ୍ତି। ସେମାନଙ୍କ ପକ୍ଷରୁ ଗଣ୍ଡରପୁର ଗ୍ରାମରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଏବଂ ସଚେତନତା ଶିବିର ଆୟୋଜନ କରାଯାଇଥିଲା।

ଏହି ଶିବିରରେ ମୁଖ୍ୟତଃ ଫିଜିଓଥେରାପି, ଶ୍ରବଣ ଯାଞ୍ଚ, ଶ୍ରବଣ ଯନ୍ତ୍ର (ହିୟରିଂ ଏଡ୍) ସେବା ଓ ଟ୍ରାୟାଲ ଏବଂ ଅଟିଜମ୍ ସମ୍ବନ୍ଧୀୟ ସଚେତନତା ପ୍ରଦାନ କରାଯାଇଥିଲା। ଗ୍ରାମର ବହୁ ବୃଦ୍ଧବୃଦ୍ଧା ସେମାନଙ୍କର ଆଣ୍ଠୁଗଣ୍ଠି, ଅଣ୍ଟା ଏବଂ ଗଳା ଜନିତ ସମସ୍ୟାର ସଠିକ୍ ଚିକିତ୍ସା ଓ ପରାମର୍ଶ ପାଇଥିଲେ। ସେହିପରି ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ସ୍ପିଚ୍ (ବାକ୍) ଏବଂ ଭାଷା ବିକାଶ ସମ୍ବନ୍ଧୀୟ ସମସ୍ୟାର ମୂଲ୍ୟାୟନ କରାଯାଇଥିଲା। ଅଟିଜମ୍ ଭଳି ସମସ୍ୟା ଉପରେ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଅଭିଭାବକମାନେ ଅନେକ ନୂତନ ଦିଗଦର୍ଶନ ପାଇପାରିଥିଲେ।

ସେବା ମନୋଭାବ ନେଇ ଏହି ଯୁବ ଚିକିତ୍ସକମାନଙ୍କର ଏଭଳି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି। କେବଳ ଅର୍ଥ ଉପାର୍ଜନ ନୁହେଁ, ବରଂ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ଆଧୁନିକ ଚିକିତ୍ସା ସୁବିଧା ପହଞ୍ଚାଇବା ଏହି ଯୁବ ଚିକିତ୍ସକଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେମାନେ ପ୍ରକାଶ କରିଛନ୍ତି। ସେମାନଙ୍କର ଏହି ନିସ୍ୱାର୍ଥପର ସେବା ଆଜିର ଯୁବପିଢ଼ିଙ୍କ ପାଇଁ ନିଶ୍ଚିତ ଭାବେ ଏକ ଅନୁକରଣୀୟ ପଦକ୍ଷେପ।

Leave a Reply

Your email address will not be published. Required fields are marked *