ଡିଜି ପଦ ପାଇଁ ଦୁଇ ଓଡ଼ିଆ ଆଇପିଏସ୍

ରାଜ୍ୟ
Spread the love

ଭୁବନେଶ୍ବର: ଡିଜି (DG) ପାହ୍ୟା ପାଇଁ କେନ୍ଦ୍ରୀୟ ଏମପ୍ୟାନେଲମେଣ୍ଟରେ ୩୩ ଜଣ IPS ଅଧିକାରୀଙ୍କୁ ମନୋନୀତ କରାଯାଇଛି। କ୍ୟାବିନେଟ ନିଯୁକ୍ତି କମିଟି (ACC) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ଏହି ତାଲିକାରେ ଓଡ଼ିଶା କ୍ୟାଡରର ଦୁଇଜଣ ବରିଷ୍ଠ IPS ଅଧିକାରୀ ସ୍ଥାନ ପାଇଥିବାରୁ ରାଜ୍ୟ ପୁଲିସ ମହଲରେ ଖୁସିର ଲହରୀ ଦେଖାଦେଇଛି।
ତାଲିକାର ପ୍ରଥମ ସ୍ଥାନରେ ବରିଷ୍ଠ IPS ଅଧିକାରୀ ଡ଼. ସୁଧାଂଶୁ ଷଡ଼ଙ୍ଗୀ ରହିଛନ୍ତି। ତାଙ୍କୁ ଡିଜି ପଦବୀ ପାଇଁ କେନ୍ଦ୍ରୀୟ ମଞ୍ଜୁରୀ ମିଳିଥିବା ବେଳେ ଏହା ତାଙ୍କ ଦୀର୍ଘ ପ୍ରଶାସନିକ ଓ ପୁଲିସ ସେବାର ସ୍ୱୀକୃତି ବୋଲି ମନେ କରାଯାଉଛି। ସେହିପରି ଓଡ଼ିଶା କ୍ୟାଡରର ଆଉ ଜଣେ ବରିଷ୍ଠ IPS ଅଧିକାରୀ ପଦ୍ମାକର ଏସ୍. ରଣପିସେ ମଧ୍ୟ ଡିଜି ପାହ୍ୟା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
କେନ୍ଦ୍ରୀୟ ଏମପ୍ୟାନେଲମେଣ୍ଟ ମାଧ୍ୟମରେ ମନୋନୀତ ଅଧିକାରୀମାନେ କେନ୍ଦ୍ର ସରକାରର ବିଭିନ୍ନ ସଂସ୍ଥା ଓ ସୁରକ୍ଷା ସଂଗଠନରେ ଡିଜି କିମ୍ବା ସମମର୍ଯ୍ୟାଦାର ପଦବୀରେ ନିଯୁକ୍ତି ପାଇବାର ସୁଯୋଗ ପାଇଥାନ୍ତି। ଏଥିପାଇଁ ଅଧିକାରୀମାନଙ୍କର ସେବା ଅଭିଜ୍ଞତା, କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ଯୋଗ୍ୟତାକୁ ଆଧାର କରି ଚୟନ କରାଯାଏ।
ଓଡ଼ିଶାର ଦୁଇଜଣ ବରିଷ୍ଠ IPS ଅଧିକାରୀଙ୍କ ନାମ ଏହି ତାଲିକାରେ ସାମିଲ ହେବା ରାଜ୍ୟ ପାଇଁ ଏକ ଗୌରବର ବିଷୟ ବୋଲି କୁହାଯାଉଛି। ବିଶେଷକରି ଡ଼. ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ତାଲିକାର ଶୀର୍ଷରେ ରହିବା ତାଙ୍କ ବୃତ୍ତିଗତ ସଫଳତାର ଆଉ ଏକ ମାଇଲଖୁଣ୍ଟ ବୋଲି ମନେ କରାଯାଉଛି।

Leave a Reply

Your email address will not be published. Required fields are marked *