କଟକ : ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଏକ ପ୍ରତିନିଧି ମଣ୍ଡଳୀ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷଙ୍କୁ ତାଙ୍କ ଅଫିସରେ ସାକ୍ଷାତ କରି ଇପିଏଫ ପେନସନ ଭୋଗୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଓଡିଶା ସମେତ ସାରା ଦେଶରେ ଥିବା 80 ଲକ୍ଷ ଇପିଏଫ ପେନସନ ଭୋଗୀଙ୍କ ପ୍ରତି କେନ୍ଦ୍ର ସରକାର ବିନା ମହଙ୍ଗାଭତାରେ ସେପ୍ଟେମ୍ବର 2014ରୁ ସର୍ବନିମ୍ନ ଏକ ହଜାର ଟଙ୍କା ମାସିକ ପେନସନ ଦେଇ ଆସୁଛନ୍ତି। ଏପରିକି 40 ଲକ୍ଷ ପେନସନ ଭୋଗୀ ଏକ ହଜାର ଟଙ୍କାରୁ ମଧ୍ୟ କମ ପେନସନ ପାଉଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଭଗତ ସିଂ ଖୋସିୟାରୀ କମିଟି ଏବଂ କେନ୍ଦ୍ର ଶ୍ରମ ଷ୍ଟାଣ୍ଡିଙ୍ଗ କମିଟି ଦୀର୍ଘଦିନରୁ ପେନସନ ବୃଦ୍ଧି ଲାଗି ସବୁଜ ସଂକେତ ଦେଇ ସୁପାରିସ କରିଥିଲେ ମଧ୍ୟ ଅର୍ଥ ଅଭାବର ଆଳ ଦେଖାଇ ଆଜକୁ 11 ବର୍ଷ ହେବ କେନ୍ଦ୍ର ସରକାର ପେନସନ ବୃଦ୍ଧି କରୁ ନାହାନ୍ତି। ପରିଣାମ ସ୍ୱରୂପ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନେ ନାହିଁ ନଥିବା ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି।
ବିଧାୟିକା ମହୋଦୟା ସବିଶେଷ ବିବରଣୀ ବୁଝି ଏ ବାବଦରେ ଏଆଇସିସି ସଭାପତି ତଥା ରାଜ୍ୟ ସଭାର ବିରୋଧୀ ଦଳର ନେତା ମଲ୍କିକାର୍ଜୁନ ଖାଡ଼ଗେ ଏବଂ ଲୋକସଭାର ବିରୋଧ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ଆଲୋଚନରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଜାତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମାଙ୍କ ସମେତ ଧୀରେନ୍ଦ୍ର ପ୍ରତାପ, ଅଗାଧୁ ଚରଣ ପ୍ରଧାନ, ବୁଲେଇ ବେହେରା, ସୁକାନ୍ତ କୁମାର ସ୍ୱାଇଁ, ଦେବେନ୍ଦ୍ର କୁମାର ସାହୁ, ଅଲେଖ ଚନ୍ଦ୍ର ରାଉତ, ସୁରେନ୍ଦ୍ର ନାଥ ସାହୁ ଓ ବନମାଳୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
