ରାଜଭବନଠାରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୧୮/୯: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରକ୍ତଦାତାମାନଙ୍କ ଦ୍ୱାରା ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରଦର୍ଶିତ କରୁଣା ଓ ନିଷ୍ଠା ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଆଶ୍ୱାସଜନକ ବୋଲି ମତ ପ୍ରକାଶ କରିଛନ୍ତି । ଗୁରୁବାର ଦିନ ରାଜ ଭାବନର ନ୍ୟୁ ଅଭିଷେକ ହଲରେ ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନ ସମୟରେ ରାଜ୍ୟପାଳ ଏପରି ମନ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଶିବିର ରାଜଭବନ ଓ କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କର ମିଳିତ ସହଯୋଗରେ ଆୟୋଜିତ କରାଯାଇଥିଲା । ଶିବିରରେ ମୋଟ ୧୭୦ ଉନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାମାଜିକ ସଂଗଠନର ସଦସ୍ୟ/ସଦସ୍ୟା ଏବଂ ରାଜଭବନର କର୍ମଚାରୀ ଓ ଅଧିକାରୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଜନସେବା ଓ ସାମୁହିକ ଅଂଶଗ୍ରହଣ ପୂର୍ବକ ସମର୍ପଣଭାବ ପ୍ରଦର୍ଶନ କରିଥିଲେ।

ପରିଦର୍ଶନ ସମୟରେ ରାଜ୍ୟପାଳ ରକ୍ତଦାତାମାନଙ୍କ ସହ ଆଲୋଚନା କରି ସେମାନଙ୍କ ଯୋଗଦାନକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଏପରି ମାନବିକ ପ୍ରୟାସକୁ ନିରନ୍ତର ସମର୍ଥନ କରିବାକୁ ଉତ୍ସାହିତ କରିଥିଲେ। ରାଜ୍ୟପାଳ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଏବଂ ଟି-ସାର୍ଟ ବଣ୍ଟନ କରିଥିଲେ।

ଯୁବପିଢ଼ିଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଶିବିରର ଉଦ୍ଦେଶ୍ୟ ଥିଲା। ଶିବିରଟି ରାଜଭବନ ଡ଼ିସପେନସାରୀର ଡା ବି.କେ. ମେହେର ଏବଂ କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କର ଡା ଦେବାଶିଷ ମିଶ୍ରଙ୍କ ସମନ୍ୱୟରେ ପରିଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *