ନବକାକଳିର ଏକତ୍ରିଂଶ ବାର୍ଷିକୋତ୍ସବ ଓ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ : ଜଗତସିଂହପୁର ବ୍ଲକ ମୁଦୁପୁର ଗ୍ରାମପଞ୍ଚାୟତ ସ୍ଥିତ ‘କନ୍ତାରକେଳି କାନନ ରତ୍ନାକର ପାଠାଗାର’ ଆନୁକୂଲ୍ୟରେ ଜିଲ୍ଲାର ଅଗ୍ରଣୀ ପତ୍ରିକା ‘ନବକାକଳି’ର ଏକତ୍ରିଂଶ ସ୍ୱନକ୍ଷତ୍ର ଦିବସ, ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ସ୍ଥାନୀୟ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ‘ଆଦିକବି ସାରଳା ଦାସ କବିତା ପାଠ ମଞ୍ଚ’ରେ ମହେନ୍ଦ୍ର କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ‘ନବକାକଳି’ର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କବି ଅଜୟ କୁମାର ବେହେରା, ମୁଖ୍ୟବକ୍ତା ଭାବେ ଗୀତିକବି ଉମାକାନ୍ତ ନାୟକ ଏବଂ ବରେଣ୍ୟ ଅତିଥି ଭାବେ ଡ. ଅଶୋକ କୁମାର ପଣ୍ଡା ଓ ଶିକ୍ଷାବିତ୍ ତ୍ରିଲୋଚନ ପାଢ଼ୀ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିଜର ବକ୍ତବ୍ୟ ରଖିଥିଲେ। କବି ବାମଦେବ ସ୍ୱାଇଁ ଓ କବୟିତ୍ରୀ ପ୍ରତିଭା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବି ସମ୍ମିଳନୀରେ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ ଏବଂ ଅତିଥିମାନଙ୍କ ଠାରୁ ସମ୍ମାନ ପତ୍ର ଗ୍ରହଣ କରିଥିଲେ।

ଦ୍ୱିତୀୟ ଅଧିବେଶନର ସାହିତ୍ୟ ସଭାଟି ଜାତୀୟ କବି ବୀରକିଶୋର ଦାସଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଥିଲା। ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ ପ୍ରଫେସର ଡ. ନାରାୟଣ ପଣ୍ଡା ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷା ଡ. ବୈଜୟନ୍ତୀମାଳା ଶତପଥୀ, ମୁଖ୍ୟବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ଉପ-ସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ଏବଂ ବିଶିଷ୍ଟ ଅତିଥି ଭାବେ ରାହାମା ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର, ‘ଭାଗ୍ୟଲିପି’ର ସମ୍ପାଦକ ଜ୍ୟୋତିର୍ବିଦ ମିଲନ ବାନାର୍ଜୀ, ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ ଓ ପ୍ରାକ୍ତନ ଅଧ୍ୟକ୍ଷ ଡ. ବିଜୟ କୁମାର ବିଶ୍ୱାଳ ଯୋଗ ଦେଇଥିଲେ। ବକ୍ତାମାନେ ନିଜ ଅଭିଭାଷଣରେ ସାହିତ୍ୟିକମାନେ ସମଦର୍ଶୀ ଓ ସହିଷ୍ଣୁ ହେବା ସହ ସମାଜକୁ ସଠିକ୍ ଦିଗଦର୍ଶନ ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ‘ନବକାକଳି’ର ମକର ବିଶେଷାଙ୍କ ସମେତ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଦୁଇଟି ପ୍ରବନ୍ଧ ପୁସ୍ତକ ‘ଶ୍ରୀ ସାରଳାମୃତ’ ଓ ‘ଶ୍ରୀଜଗନ୍ନାଥାମୃତ’ ଏବଂ କବୟିତ୍ରୀ ଅନୁଲିପ୍ସା ମିଶ୍ରଙ୍କ ଶିଶୁ କବିତା ପୁସ୍ତକ ‘ଚୂନାଚୂନା ହୀରାଲୋକ’ (ବା ହୀରାଫୁଲ) ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ନବକାକଳି ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଡ. ଆରତି ତ୍ରିପାଠୀ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ‘ଆଷାଢ଼’ର ସମ୍ପାଦକ ପୀତାମ୍ବର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ମନୋରମା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ ଦାଶ, ସବ୍ୟସାଚୀ ତ୍ରିପାଠୀ, ପିଙ୍କୁନା ବେହେରା ଓ କ୍ଷେତ୍ରବାସୀ ପତି ସହଯୋଗ କରିଥିଲେ। କୁନି ଓଡ଼ିଶୀ ନୃତ୍ୟଶିଳ୍ପୀ ଆଦ୍ୟାଶା ପ୍ରିୟଦର୍ଶିନୀ ପାଣିଙ୍କ ଆକର୍ଷଣୀୟ ନୃତ୍ୟ ସମସ୍ତଙ୍କ ମନ ଜିଣିଥିଲା।

Leave a Reply

Your email address will not be published. Required fields are marked *