ଝଙ୍କଡ଼ : ଝଙ୍କଡ଼ ସାରଳାପୀଠ ନିକଟସ୍ଥ କନକପୁର ଉପଡାକ ଘରେ ଗ୍ରାମୀଣ ଡାକ ସେବକ (ପ୍ୟାକର) ଭାବେ ଦୀର୍ଘ ୪୯ ବର୍ଷ କାଳ ନିରବଚ୍ଛିନ୍ନ ଓ ନିଷ୍ଠାପର ସେବା ପ୍ରଦାନ କରିବା ପରେ ଭବେଶ କୁମାର ନନ୍ଦୀ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ଗତ ବୁଧବାର ଦିନ ତାଙ୍କୁ ଏକ ଭବ୍ୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
କନକପୁର ଉପଡାକ ଘରର ଡାକ ସହାୟକ ସତ୍ୟଜିତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କନକପୁର ପୋଷ୍ଟମାଷ୍ଟର ତ୍ରିଲୋଚନ ପ୍ରଧାନ ଏଥିରେ ସଭାପତିତ୍ୱ କରିଥିବା ବେଳେ ସହକାରୀ ଡାକ ଅଧିକ୍ଷକ ପରମାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗୋବିନ୍ଦପୁର ଶାଖା ଡାକପାଳ ଅଜୟ କୁମାର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜେ ରଚନା କରିଥିବା ଏକ ଭାବପୂର୍ଣ୍ଣ ବିଦାୟୀ ସଙ୍ଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
କୁଜଙ୍ଗ ଡାକ ନିରୀକ୍ଷକ ମଧୁସ୍ମିତା ମଲ୍ଲ, ପିଏଲଆଇ (PLI) ଉନ୍ନୟନ ଅଧିକାରୀ ହୃଷିକେଶ ବେହେରା, କୁଜଙ୍ଗ ଓଭରସିୟର ବିଳାସ କୁମାର ନନ୍ଦ ଏବଂ ଗୁରୁପଦ ଗିରି ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ଶ୍ରୀ ନନ୍ଦୀଙ୍କ ଦୀର୍ଘକାଳୀନ ସେବା ଓ କର୍ତ୍ତବ୍ୟନିଷ୍ଠାର ଭୂୟସୀ ପ୍ରଶଂସା କରିଥିଲେ।
ଏହି ସମ୍ବର୍ଦ୍ଧନା ସଭାରେ କନକପୁର ଉପଡାକ ଘର ଅଧୀନରେ କାର୍ଯ୍ୟରତ ଗ୍ରାମୀଣ ଡାକ ସହାୟକ ପ୍ରସନ୍ନ କୁମାର ପ୍ରଧାନ, ନିଶିଥ ରଞ୍ଜନ ବାରିକ, ବିଶ୍ୱବନ୍ଦୀତା ନାଥଶର୍ମା, ଆରାଧନା ପତି, ସସ୍ମିତା ସାହୁ, ହରପ୍ରିୟା ଲେଙ୍କା, ବିଜୟ କୁମାର ବାରିକ, ଜ୍ୟୋତିରଞ୍ଜନ ହୋତା, ନିକୁଞ୍ଜ କିଶୋର ଦାସ, ପ୍ରମୋଦ କୁମାର ବ୍ରହ୍ମ ଓ ଜମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଦାୟୀ ଭବେଶ ନନ୍ଦୀଙ୍କ ଅମାୟିକ ବ୍ୟବହାର ଓ କାର୍ଯ୍ୟଦକ୍ଷତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସହକର୍ମୀମାନେ ମତ ପ୍ରକାଶ କରିଥିଲେ। ଶେଷରେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ସହ ଉପହାର ପ୍ରଦାନ କରି ତାଙ୍କର ସୁସ୍ଥ ଓ ନିରାମୟ ଅବସର ଜୀବନ କାମନା କରାଯାଇଥିଲା।
