କଟକ ସଦର : କଟକ ପୂର୍ବାଞ୍ଚଳ ତଥା ସଦର ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ପରମହଂସନାଥଙ୍କ ଆଗାମୀ ମହାଶିବରାତ୍ରି ଓ ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୧୫ ତାରିଖ ରବିବାର ଠାରୁ ଆରମ୍ଭ ହେବାକୁ ଥିବା ଏହି ୫ ଦିନିଆ ମହୋତ୍ସବର ସଫଳତା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପରିସରରେ ତୃତୀୟ ତଥା ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ପରମହଂସ ସରପଞ୍ଚ ଅଶୋକ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯାତ୍ରାର ସଫଳ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏଥିସହ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ତହସିଲଦାର ଦେବଦତ୍ତ ପ୍ରଧାନ, ଏସିପି ସୁଧାଂଶୁ ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ଓ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।
କନ୍ଦରପୁର ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ଓ ୪୨ ମୌଜା ଥାନା ଅଧିକାରୀ ହେମନ୍ତ କୁମାର ସେଠୀ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ମନ୍ଦିର ଟ୍ରଷ୍ଟି ଯୁବ ଉଦ୍ୟୋଗୀ ବିକ୍ରମ ରାଉତ, ସୁରକ୍ଷା ସମିତି ସଭାପତି ପ୍ରଫୁଲ୍ଲ ସିଂହ, ସମାଜସେବୀ ପୁଷ୍ପରାଜ ପ୍ରଧାନ ଏବଂ ସେବାୟତ ସଂଘ ସଭାପତି ଅରୁଣ କୁମାର ଦାଶ ଯାତ୍ରାର ସମସ୍ତ ବିଧିବ୍ୟବସ୍ଥା ସମ୍ପର୍କରେ ମତ ରଖିଥିଲେ।
ଏହି ବୈଠକରେ ହଂସନାଥ ସ୍ୱେଚ୍ଛାସେବୀ ସଂଗଠନ ସଭାପତି ଲକ୍ଷ୍ମୀଧର ରାଉତ, ହୃଷିକେଶ ଜେନା, ସମର ବେହେରା, ଜଗନ୍ନାଥ ପଣ୍ଡା, ଜିତେନ୍ଦ୍ର କୁମାର ଦାଶ, ଡାକ୍ତର ଶୁଭାଶିଷ ଶତପଥୀ, ରାମ ଚନ୍ଦ୍ର ପଣ୍ଡା, ରବି ନାରାୟଣ ସିଂହ, ପୂର୍ବତନ ସରପଞ୍ଚ ଅନିରୁଦ୍ଧ ରାଉଳ, ନିର୍ମଳ ଦାସଙ୍କ ସମେତ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଏଥର ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।
