ଯଶିପୁର : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକର ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ପ୍ରାୟ ୧୧୬ ଲିଟର ମହୁଲି ମଦ ଜବତ କରାଯାଇଥିବା ବେଳେ ଏହି ବେଆଇନ କାରବାରରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି।
ଅବକାରୀ ବିଭାଗ ପ୍ରଥମେ ନିମସାହି ଗ୍ରାମରେ ଚଢ଼ାଉ କରି ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ମଦ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସନ୍ଦୀପ କୁମାର ମହାନ୍ତ (୧୮ ଲିଟର), ପ୍ରଦୀପ କୁମାର ମହାନ୍ତ (୧୮ ଲିଟର), କ୍ଷୀରୋଦ ଚନ୍ଦ୍ର ମହାନ୍ତ (୧୪ ଲିଟର) ଏବଂ ମନୋଜ କୁମାର ମହାନ୍ତ (୧୬ ଲିଟର) ସାମିଲ ଅଛନ୍ତି।
ସେହିପରି କଳାପଥର ଗ୍ରାମରୁ ରବିନ୍ଦ୍ର ମରାଣ୍ଡିଙ୍କୁ ଗିରଫ କରାଯାଇ ତାଙ୍କ ଠାରୁ ୧୫ ଲିଟର ମହୁଲି ମଦ ଜବତ କରାଯାଇଛି। ଅନ୍ୟପଟେ ବନବସା ଗ୍ରାମରୁ ସୁପ୍ରଭା ଅଲ୍ଡା ନାମକ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ତାଙ୍କ ନିକଟରୁ ୧୮ ଲିଟର ମହୁଲି ମଦ ଜବତ କରାଯାଇଛି।
ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବାରୁ ଅବକାରୀ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉ ଆହୁରି ଜୋରଦାର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
