ଝଙ୍କଡ଼, ୧୧/୦୨/୨୦୨୬ : ହରିଆନାର କୁରୁକ୍ଷେତ୍ରଠାରେ ଅନୁଷ୍ଠିତ ଜାତୀୟ ସ୍ତରର ସବ୍ ଜୁନିୟର ଖୋ-ଖୋ ପ୍ରତିଯୋଗିତାରେ ଓଡ଼ିଶା ଦଳ ଚମ୍ପିୟାନ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛି। ଏହି ବିଜୟୀ ଦଳର ଅଂଶବିଶେଷ ଥିବା ତିର୍ତ୍ତୋଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ର ପି.ଆର. ରୋହନ କୁରୁକ୍ଷେତ୍ରରୁ ନିଜ ଅଞ୍ଚଳକୁ ଫେରିବା ପରେ ଆଜି ତାଙ୍କୁ ବିଦ୍ୟାଳୟ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
କଟକ-ପାରାଦୀପ ରାସ୍ତାର ନେହେରୁ ପଡ଼ିଆ ବଜାର ଛକଠାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅରୁଣ କାନ୍ତ ସାମନ୍ତରାୟ, କ୍ରୀଡ଼ା ଶିକ୍ଷକ ଭୁବନ ମୋହନ ଦାସ ଏବଂ ସମସ୍ତ ଗୁରୁଜୀ ଓ ଗୁରୁମାମାନେ ରୋହନଙ୍କୁ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ରୋହନଙ୍କୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଗହଣରେ ତିର୍ତ୍ତୋଲ କଲେଜ ବଜାର ଏବଂ ନେହେରୁ କଲୋନୀ ପରିକ୍ରମା କରାଯାଇ ବିଦ୍ୟାଳୟ ପରିସରକୁ ଅଣାଯାଇଥିଲା।
ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପରିଚାଳନା କମିଟି ସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ବିଷ୍ଣୁପ୍ରିୟା ଦାସ ରୋହନଙ୍କୁ ସମ୍ମାନଜନକ ସିଲ୍ ପ୍ରଦାନ କରି ସମ୍ମାନିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏହି ଅବସରରେ ରୋହନଙ୍କ ପିତା ସାରଦା ପ୍ରସନ୍ନ ଲେଙ୍କା, ମାତା ଚିନ୍ମୟୀ ଲେଙ୍କା, ବଡ଼ବାପା ବରଦା ପ୍ରସନ୍ନ ଲେଙ୍କା, ବଡ଼ମାଆ ସୌଦାମିନୀ ଲେଙ୍କାଙ୍କ ସମେତ ଶିକ୍ଷୟିତ୍ରୀ ବିଭୂଷିତା ଦାସ ଓ ପରିଚାଳନା କମିଟି କୋଷାଧ୍ୟକ୍ଷ ହୃଷୀକେଶ ପରିଜା ପ୍ରମୁଖ ଉପସ୍ଥିତ ରହି ରୋହନଙ୍କ କୃତିତ୍ୱକୁ ପ୍ରଶଂସା କରିଥିଲେ। ରୋହନଙ୍କ ଏହି ସଫଳତା ଅଞ୍ଚଳର ଅନ୍ୟ କ୍ରୀଡ଼ାବିତ୍ଙ୍କ ପାଇଁ ପ୍ରେରଣା ସାଜିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
