କଟକ ସଦର : କଟକ ସଦର ନିର୍ବାଚନ ମଣ୍ଡଳୀରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୫.୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେବାକୁ ଥିବା ‘ଦିଘି-ପାଇକସାହି-ଚାଞ୍ଚପଡା’ ରାସ୍ତାର ଶିଳାନ୍ୟାସ ହୋଇଯାଇଛି। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ସେଠୀ ଉଦବୋଧନ ଦେଇ କହିଥିଲେ ଯେ, ଗ୍ରାମାଞ୍ଚଳର ଗମନାଗମନ ସୁବିଧାକୁ ପ୍ରାଥମିକତା ଦେବା ପାଇଁ ବର୍ତ୍ତମାନର ମୋହନ ଚରଣ ମାଝୀଙ୍କ ସରକାର ଅନେକ ଜନହିତକର ଓ ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ରାସ୍ତାଟି ନିର୍ମାଣ ହେବା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଯାତାୟାତ ସହଜ ହେବା ସହ ଆର୍ଥିକ ବିକାଶର ନୂତନ ମାର୍ଗ ପ୍ରଶସ୍ତ ହେବ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ, ପୂର୍ବତନ ସଭାପତି ଅଭୟ ସ୍ୱାଇଁ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀପ୍ରିୟା ସ୍ୱାଇଁ ଏବଂ ଜିଲ୍ଲା ଉପସଭାପତି ସୁରେଶ ଜେନା ଉପସ୍ଥିତ ଥିଲେ। ଏଥିସହ ମନୋରଞ୍ଜନ ପତି, ଅକ୍ଷୟ ଜେନା, ବିନୋଦ କୁମାର ପତି, ଲକ୍ଷ୍ମୀଧର ଜେନା, ଅମିତାଭ ବିଶ୍ୱାଳ, ମନୋଜ ସିଂହ ଓ ଗ୍ରାମ ଉନ୍ନୟନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାନସ ଚୌଧୁରୀଙ୍କ ସମେତ ବହୁ ସ୍ଥାନୀୟ ବ୍ୟକ୍ତିବିଶେଷ ଓ ବିଜେପି କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏହି ରାସ୍ତା ପ୍ରକଳ୍ପ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାକୁ ଦୂର କରିବାରେ ଏକ ବଡ଼ ପଦକ୍ଷେପ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
