ମଇଦାନକେଲରେ ‘ହିଂସା ବିରୋଧୀ ଏକତା ଅଭିଯାନ’ ଅନୁଷ୍ଠିତ: ମହିଳା ସୁରକ୍ଷା ଓ ସଚେତନତା ପାଇଁ ଗର୍ଜିଲେ ନାରୀଶକ୍ତି

କେନ୍ଦୁଝର ରାଜ୍ୟ
Spread the love

କେନ୍ଦୁଝର (ନି.ପ୍ର) : କେନ୍ଦୁଝର ଜିଲ୍ଲା ମଇଦାନକେଲ ହାଟପଡ଼ିଆ ଠାରେ ଶୁକ୍ରବାର ଦିନ ଏକ ବିଶାଳ “ହିଂସା ବିରୋଧୀ ଏକତା ଅଭିଯାନ” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଗ୍ରାହକ କଲ୍ୟାଣ ଓ ଆଇନଗତ ଅନୁପାଳନ କମିଶନ (CWLCC) ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ବଢୁଥିବା ହିଂସା ବିରୋଧରେ ଏକତା ବଜାୟ ରଖିବା ପାଇଁ ଆହ୍ୱାନ ଦିଆଯାଇଛି।

କାର୍ଯ୍ୟକ୍ରମର ଆରମ୍ଭରେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ନିକଟରେ ଧୂପଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି ଅବସରରେ CWLCC ର ରାଜ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ନିଲିମା ଆର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବସୁଧା ଫାଉଣ୍ଡେସନର ସଭାପତି ଶ୍ରୀମତୀ ନମିତା ବଳ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସଭାପତି ତଥା ଅଧିବକ୍ତା ସୁଶ୍ରୀ ଜଗଜିତା ଦାଶ, ଅଧିବକ୍ତା ରାଜକିଶୋର ଭୂୟାଁ, ସରପଞ୍ଚ ଭାଗିରଥି ସିଂହ, ନାଏବ ସରପଞ୍ଚ କଳ୍ପନା ମହାନ୍ତ, ସଭାନେତ୍ରୀ ତପସ୍ୱିନୀ ବଳ, ସମାଜସେବୀ ମୁର୍ଗାବତୀ ବେହେରା ଓ ନେତ୍ରୀ କଳ୍ପନା ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଗତି ଫାଉଣ୍ଡେସନ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫଳଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅଭିଯାନ ଅନ୍ତର୍ଗତ ଏକ ବିଶାଳ ରାଲି ହାଟପଡ଼ିଆରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା। “ମା ଭଉଣୀ ଏକ ହୁଅ, ମହିଳା ହିଂସା ଦୁରେଇ ଦିଅ”, “ଆଜିର ନାରୀ କେମିତି, ତୁଳସୀ ମୁଣ୍ଡା ଯେମିତି” ଭଳି ସ୍ଲୋଗାନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ରାଲିର ମୂଳ ଲକ୍ଷ୍ୟ ଥିଲା।

ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ସଭାପତି ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଇନ ବିଷୟରେ ଅବଗତ କରାଇଥିଲେ। ସେ ମହିଳା ସୁରକ୍ଷା ଆଇନ-୨୦୦୫, ବାଲ୍ୟ ବିବାହ ନିଷେଧ ଆଇନ, ପୋକ୍ସୋ (POCSO) ଆଇନ, ଯୌତୁକ ନିରୋଧ ଆଇନ ଏବଂ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଆଇନ ସମ୍ପର୍କରେ ପ୍ରଶ୍ନୋତ୍ତର ମାଧ୍ୟମରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ସ୍ୱାବଲମ୍ବୀ ହୋଇଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ CWLCC ନିର୍ଦ୍ଦେଶିକା ଶ୍ରୀମତୀ ନିଲିମା ଆର ପାତ୍ର ୩୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଠାରୁ ସେମାନଙ୍କ ସମସ୍ୟା ସମ୍ପର୍କିତ ଅଭିଯୋଗ ପତ୍ର ସିଧାସଳଖ ଗ୍ରହଣ କରିଥିଲେ।

ସତ୍ୟଜିତ ମିଶ୍ରଙ୍କ ସମେତ ପ୍ରଗତି ଫାଉଣ୍ଡେସନର ସମ୍ପାଦିକା ରଞ୍ଜୁଲତା ମହାନ୍ତ, ସଭାପତି ସୁଶାନ୍ତ କୁମାର ମହାନ୍ତ ଓ ଉପସଭାପତି କାଞ୍ଚନ ବାଳା ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବସୁଧା ଫାଉଣ୍ଡେସନ, ଆନ୍ତରିକ୍ଷ ଫାଉଣ୍ଡେସନ, ସ୍ୱସ୍ତି ଫାଉଣ୍ଡେସନ ପରି ଅନେକ ସଂଗଠନ ଏବଂ ବିଦ୍ୟାଳୟର ପ୍ରାୟ ୪୦୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ। ଶେଷରେ ସେବତୀ ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *