ସମ୍ବଲପୁର OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଗିରଫ: ୪୦୦ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ପରେ ଜେଲ୍‌ ହାଜତକୁ ପ୍ରେରଣ

ରାଜ୍ୟ
Spread the love

ସମ୍ବଲପୁର : ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (OPHWC) ର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ସମ୍ବଲପୁର ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଆସନ୍ତା ୧୫.୦୪.୨୦୨୬ ତାରିଖ ପର୍ଯ୍ୟନ୍ତ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତଦନ୍ତ ସମୟରେ ତାଙ୍କ ପାଖରୁ ତାଙ୍କ ଜ୍ଞାତ ଆୟର ପ୍ରାୟ ୪୦୦ ପ୍ରତିଶତରୁ ଅଧିକ ସମ୍ପତ୍ତି ଠାବ ହୋଇଛି, ଯାହାର କୌଣସି ସନ୍ତୋଷଜନକ ହିସାବ ସେ ଦେଇପାରିନଥିଲେ। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ତାଙ୍କ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ସଂଶୋଧିତ ଆଇନ ୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗତ ମାର୍ଚ୍ଚ ୩୧ ତାରିଖରେ ତାଙ୍କୁ ଅଟକ ରଖାଯାଇ ୯ଟି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇଛି, ଯେଉଁଥିରେ ୨ଟି ବହୁତଳ ବିଶିଷ୍ଟ କୋଠାବାଡ଼ି, ଭୁବନେଶ୍ୱରରେ ଏକ ମୂଲ୍ୟବାନ ଫ୍ଲାଟ୍ ଏବଂ ଜଟଣୀ ଓ ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ରହିଥିବା ୨୯ଟି ପ୍ଲଟ୍ ସାମିଲ ରହିଛି। ଏହା ବ୍ୟତୀତ ତାଙ୍କ ଘରୁ ୪୮,୭୯,୧୦୦ ଟଙ୍କାର ନଗଦ ଅର୍ଥ ସହ ପ୍ରାୟ ୮୧,୮୩,୯୭୯ ଟଙ୍କାର ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି। ଅଳଙ୍କାର ମଧ୍ୟରେ ୧ କିଲୋ ୧୪୦ ଗ୍ରାମର ସୁନା, ଯେଉଁଥିରେ ୬ଟି ସୁନା ମୁଦ୍ରା ଓ ୨ଟି ସୁନା ବିସ୍କୁଟ ଅନ୍ତର୍ଭୁକ୍ତ ଏବଂ ୭୫୧ ଗ୍ରାମର ରୁପା ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଏହି ମାମଲାରେ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

Leave a Reply

Your email address will not be published. Required fields are marked *