ସିବିଏସ୍‌ଇ ଟପ୍ପର ଟିନା ଓ ଆଲିଶାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ
Spread the love

ଭୁବନେଶ୍ବର : ଚଳିତ ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଓ ଆଲିଶା ବିଶ୍ୱାଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱରର ଲୋକସେବା ଭବନରେ ଭେଟିଛନ୍ତି।
ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ରୀଙ୍କୁ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ରୁପ ତାରକସିର ଉପହାର ଓ ଉତ୍ତରୀୟ ପ୍ରଦାନ କରିଥିଲେ। ଭବିଷ୍ୟତରେ ସଫଳତା ନିମନ୍ତେ ଶୁଭାଶିଷ ଜଣାଇଥିଲେ।
ଉଭୟ ଛାତ୍ରୀ ଭବିଷ୍ୟତରେ ଜଣେ ଜଣେ ଡାକ୍ତର ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଟିନା ଭବିଷ୍ୟତରେ କାର୍ଡିଓଲୋଜିଷ୍ଟ ହେବାର ଲକ୍ଷ୍ୟ ରଖିଥିବା ବେଳେ, ଆଲିଶା ନ୍ୟୁରୋଲୋଜିଷ୍ଟ ହେବାର ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ରୀଙ୍କୁ ନିଷ୍ଠା ଓ ପରିଶ୍ରମ ଜାରି ରଖି, ନିଜର ଲକ୍ଷ୍ୟରେ ନିଶ୍ଚୟ ସଫଳ ହେବ ବୋଲି କହିଥିଲେ । ଏହି ସଫଳତା ରାଜ୍ୟର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ, ଟିନା ରଥ ପୁରୀର ମଦର୍ସ ପବ୍ଲିକ୍‌ ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ବେଳେ, ଆଲିଶା ବିଶ୍ୱାଳ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ଅଧ୍ୟୟନ କରୁଛନ୍ତି। ଉଭୟ ପୂର୍ଣ୍ଣ ମାର୍କ ରଖି ଓଡ଼ିଶାର ସିବିଏସ୍‌ଇ ଟପ୍ପର୍ ଭାବେ ପରିଚିତ ହୋଇଛନ୍ତି। ଏହି ସମୟରେ ପୁରୀର ଟିନା ରଥଙ୍କ ପିତା ସମୀର କୁମାର ରଥ ଓ ମାତା ରେଣୁ ପ୍ରଭା ଦାସ ଏବଂ ଭୁବନେଶ୍ୱର ୟୁନିଟ୍-୯ ରେ ବାସ କରୁଥିବା ଆଲିଶା ବିଶ୍ୱାଳଙ୍କ ପିତା ସୁଦର୍ଶନ ବିଶ୍ୱାଳ ଓ ମାତା ସୌଦାମିନୀ ମଲ୍ଲିକ୍ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *