ଚଣ୍ଡିଖୋଲ : ବନ୍ଧୁକ ଦେଖାଇ ମାଡ଼ ମାରି ଦୁଇ ଜଣ ଯୁବକଙ୍କ ଠାରୁ ଦୁଇଟି ମୂଲ୍ୟବାନ କ୍ୟାମେରା ଓ ଦୁଇଟି ମୋବାଇଲ୍ ଲୁଟି ଫେରାର୍ ହୋଇଯାଇଥିବା ଘଟଣାରେ ବାଲିଚନ୍ଦ୍ରପୁର ପୁଲିସ ୩ ନାବାଳକଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଲୁଟ ହୋଇଥିବା ଦୁଇଟି କ୍ୟାମେରା, ଦୁଇଟି ବାଇକ୍, ଚାରିଟି ମୋବାଇଲ ଓ ଗୋଟିଏ ବନ୍ଧୁକକୁ ଜବତ କରାଯାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ଼ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ପୁଲିସ ସୂଚନା ମୁତାବକ, ଚଳିତ ମାସ ୨୪ ତାରିଖ ରାତିରେ, ଯାଜପୁରଜିଲ୍ଲା ବରୀ ଥାନା ଅନ୍ତର୍ଗତ ହରିପୁର ନିକଟସ୍ଥ ଛଇଛନ୍ତା ଗ୍ରାମର ବିଶ୍ୱଜିତ ସାହୁ ତାଙ୍କର ବନ୍ଧୁ ବିଶ୍ୱଜିତ ଧୀରଙ୍କ ସହିତ ବାଇକ ଯୋଗେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମକୁ ଏକ ବିବାହ ଉତ୍ସବକୁ ଆସିଥିଲେ। କ୍ୟାମେରା ଯୋଗେ ବିବାହ ଉତ୍ସବର ଫଟୋ ଉତ୍ତୋଳନ କରି ରାତି ଗୋଟାଏରେ ନିଜ ଗ୍ରାମ ଅଭିମୁଖେ ଯାଉଥିଲେ। ତେବେ ସେମାନଙ୍କ ପିଛା କରି ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଶିବ ପ୍ରସାଦ ସାମଲ (୨୨) ଓ କୋଳିଅଠା ଗ୍ରାମର ଚିନ୍ମୟ ମଲ୍ଲିକ (୨୧)ଙ୍କ ସମେତ ଅନ୍ୟ ୩ ଜଣ ନାବାଳକ ଅରେଇକଣା-ଅଣକା ରାସ୍ତାରେ କ୍ୟାମେରାମ୍ୟାନ୍ ଉଭୟ ବିଶ୍ୱଜିତଙ୍କୁ ଅଟକାଇଥିଲେ। ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହିତ ମାଡ଼ ମାରି ସେମାନଙ୍କ ଠାରୁ ଦୁଇଟି କ୍ୟାମେରା ଓ ମୋବାଇଲ ଲୁଟି ଚମ୍ପଟ ମାରିଥିଲେ।
ଏନେଇ ବିଶ୍ୱଜିତ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ, ଥାନା କେସ୍ ନମ୍ବର ୧୫୪/୨୬ରେ ଏକ ଡକାୟତି ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଦିଲୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଓ ଏସଆଇ ଦୀପାଲିସା ନାୟକଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ ଗଠନ କରାଯାଇଥିଲା। ରବିବାର ରାତିରେ ପୁଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ସମୟରେ ଦୁଇଟି ବାଇକ, ଚାରିଟି ମୋବାଇଲ, ଦୁଇଟି କ୍ୟାମେରା ଓ ଗୋଟିଏ ବନ୍ଧୁକକୁ ଜବତ କରାଯାଇଥିବା ନେଇ ଏସ୍ଡିପିଓ ଶ୍ରୀପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଦିଲୀପ କୁମାର ମହାନ୍ତି ଓ ଏସ୍ଆଇ ଦୀପାଲିସା ନାୟକଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ତେବେ ଗିରଫ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ସାମଲ ଓ ଚିନ୍ମୟ ମଲ୍ଲିକକୁ ପୁଲିସ ଆଜି କୋର୍ଟ ଚାଲାଣ କରିଥିବା ବେଳେ ତିନି ନାବାଳକଙ୍କୁ ଜିଲ୍ଲା (ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ) ଜେଜେବିଙ୍କ ନିକଟରେ ହାଜର କରିଛି।
