୨୦୩୬ ସୁଦ୍ଧା ଶୋଧିତ ବ୍ୟବହୃତ ଜଳର ୫୦% ପୁନଃ ବ୍ୟବହାର ହେବ

ରାଜ୍ୟ
Spread the love

ଭୁବନେଶ୍ୱର: ମଧୁର ଜଳର ସୁରକ୍ଷା ଓ ସହରାଞ୍ଚଳ ବିକାଶ କ୍ଷେତ୍ରରେ ପୁନଃ ବ୍ୟବହାରକ୍ଷମ ଅର୍ଥନୀତି (ସର୍କୁଲାର୍‌ ଇକୋନୋମି)କୁ ପ୍ରୋତ୍ସାହିତ କରାଯିବ। ଏନେଇ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଶୋଧିତ ବ୍ୟବହୃତ ଜଳର ପୁନଃବ୍ୟବାହାର ନୀତି, ୨୦୨୬’ ଅଧିସୂଚିତ କରିଛନ୍ତି। ବ୍ୟବହୃତ ଅପରିଷ୍କାର ଜଳକୁ କେବଳ ଏକ ବର୍ଜ୍ୟବସ୍ତୁ ଭାବେ ନଦେଖି ଏହାକୁ ଏକ ମୂଲ୍ୟବାନ ଅର୍ଥନୈତିକ ସମ୍ବଳରେ ପରିଣତ କରିବା ପାଇଁ ଏହି ନୀତି ଏକ ବ୍ୟବସ୍ଥା ସୃଷ୍ଟି କରିବ। ଏହା ସହିତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଦେଖାଦେଉଥିବା ଋତୁକାଳୀନ ଏବଂ ସ୍ଥାନୀୟ ଜଳ ସଙ୍କଟର ସମାଧାନ ହୋଇପାରିବ।
ଅଧିସୂଚିତ ନୀତି ଅନୁସାରେ, ୨୦୩୦ ସୁଦ୍ଧା ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ବ୍ୟବହୃତ ଜଳର ୧୦୦% ସଂଗ୍ରହ, ପରିବହନ ଏବଂ ଶୋଧନ ନିଶ୍ଚିତ କରିବା। ଏଥିସହ ଶୋଧିତ ଜଳର ଅତିକମରେ ୨୦% ପୁନଃ ବ୍ୟବହାର କରିବା। ୨୦୩୬ ସୁଦ୍ଧା ଶୋଧିତ ଜଳର ପୁନଃ ବ୍ୟବହାର ପରିମାଣକୁ ଅତିକମରେ ୫୦% ପର୍ଯ୍ୟନ୍ତ ବୃଦ୍ଧି କରିବା।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡ଼ିଶାରେ ଦୈନିକ ପ୍ରାୟ ୧,୧୦୪ ନିୟୁତ ଲିଟର ଦୈନିକ (ଏମ୍‌ଏଲ୍‌ଡି) ବ୍ୟବହୃତ ଜଳ ନିର୍ଗତ ହେଉଛି। ସେଥିମଧ୍ୟରୁ ମାତ୍ର ୧୯୦ ଏମ୍‌ଏଲ୍‌ଡି ଶୋଧିତ ହେଉଛି। ଏହି ବ୍ୟବଧାନକୁ ଦୂର କରିବା ପାଇଁ ନୂତନ ନୀତିରେ ଜଳ ଶୋଧନକୁ ବାଧ୍ୟତାମୂଳକ କରାଯିବା ସହ ଅଣ-ପାନୀୟ କାର୍ଯ୍ୟ ପାଇଁ ନିରାପତ୍ତା ମାନକ ଅନୁଯାୟୀ ଏହାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।
ମଧୁର ଜଳ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହି ଶୋଧିତ ଜଳକୁ ନିମ୍ନଲିଖିତ କ୍ଷେତ୍ରରେ ବ୍ୟବହାର କରାଯିବ। ପୌର ଏବଂ ଆନୁଷ୍ଠାନିକ ବ୍ୟବହାର , ରାସ୍ତା ସଫା କରିବା, ଅଗ୍ନିଶମ ସେବା, ପରିମଳ, ବଗିଚା କାମ ଏବଂ ଏଚ.ଭି.ଏ.ସି ସିଷ୍ଟମ। ଶିଳ୍ପ ଭିତ୍ତିକ ବ୍ୟବହାର : ବିଦ୍ୟୁତ କେନ୍ଦ୍ର, ବଏଲର ଫିଡ୍, କୁଲିଂ ଏବଂ ନିର୍ମାଣ କାର୍ଯ୍ୟ। ଜଳସେଚନ, ଆଦ୍ରଭୂମି ପରିଚାଳନା ଏବଂ ସହରାଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯିବ।
ଶୋଧିତ ଜଳର ଗ୍ରହଣୀୟତା ବଢ଼ାଇବା ପାଇଁ ଏକ ଅଭିନବ ‘ଶୋଧିତ ବ୍ୟବହୃତ ଜଳ ଶୁଳ୍କ ମଡେଲ’ ପ୍ରସ୍ତୁତ କରାଯାଇଛି। ଏଥିରେ ଶୋଧିତ ଜଳର ମୂଲ୍ୟ ପାନୀୟ ଜଳ ତୁଳନାରେ କମ୍ ରଖାଯିବ। ଏହାବ୍ୟତୀତ, ଚାଷୀମାନଙ୍କ ପାଇଁ ‘ୱାଟର କ୍ରେଡିଟ୍’ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଶୁଳ୍କ ରିହାତି ଏବଂ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ସହାୟତା। ଆବାସିକ ସୋସାଇଟିଗୁଡ଼ିକ ଯଦି ଫ୍ଲସିଂ ଏବଂ ବଗିଚା କାମରେ ଏହି ଜଳ ବ୍ୟବହାର କରନ୍ତି, ତେବେ ସେମାନଙ୍କ ପାଇଁ ରିହାତିର ବ୍ୟବସ୍ଥା କରାଯାଇଛି।
ନୀତିର ସଫଳ ରୂପାୟନ ପାଇଁ ଏକ ବହୁ-ସ୍ତରୀୟ ଶାସନ ବ୍ୟବସ୍ଥା କରାଯାଇଛି। ଏହାର ଶୀର୍ଷରେ ରାଜ୍ୟ ଉଚ୍ଚ ସ୍ତରୀୟ କମିଟି ରହିବେ। ଏହାକୁ ସହଯୋଗ କରିବା ପାଇଁ ଏକ ରାଜ୍ୟ ସ୍ତରୀୟ ବୈଷୟିକ କମିଟି ଏବଂ ଏକ ସ୍ୱତନ୍ତ୍ର ‘ଶୋଧିତ ବ୍ୟବହୃତ ଜଳ ସେଲ୍’ ଗଠନ କରାଯିବ। ଜିଲ୍ଲା ସ୍ତରରେ ସମନ୍ୱୟ ରକ୍ଷା ପାଇଁ ‘ଜିଲ୍ଲା ସମନ୍ୱୟ କମିଟି’ କାର୍ଯ୍ୟ କରିବ।
ନଗର ଉନ୍ନୟନ ବିଭାଗ ଏହାର ନିୟାମକ ଦାୟିତ୍ୱରେ ରହିବା ବେଳେ ଓସାବ୍‌ (OWSSB), ୱାଟ୍‌କୋ (WATCO) ଏବଂ ଜନସ୍ବାସ୍ଥ୍ୟ ବିଭାଗ (PHEO) ଭିତ୍ତିଭୂମି ବିକାଶ ଓ ପରିଚାଳନା କରିବେ। ଓଡ଼ିଶା ଅର୍ବାନ ଏକାଡେମୀ ଦକ୍ଷତା ବିକାଶ ଏବଂ ଗବେଷଣା କାର୍ଯ୍ୟର ନେତୃତ୍ୱ ନେବ। କେନ୍ଦ୍ର ସରକାରଙ୍କ ‘ନ୍ୟାସନାଲ ଫ୍ରେମୱାର୍କ ଅନ୍ ସେଫ୍ ରିୟୁଜ୍ ଅଫ୍ ଟ୍ରିଟେଡ୍ ୱାଟର (୨୦୨୩)’ ଏବଂ ‘ଅମୃତ ୨.୦’ ର ଲକ୍ଷ୍ୟ ସହିତ ସମାନ୍ତରାଳ ଭାବେ ପ୍ରସ୍ତୁତ ଏହି ନୀତି, ଓଡ଼ିଶାକୁ ସ୍ଥାୟୀ ସହରାଞ୍ଚଳ ଜଳ ପରିଚାଳନା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସ୍ଥାପିତ କରିବ।

Leave a Reply

Your email address will not be published. Required fields are marked *