ଭୁବନେଶ୍ୱର: ‘ବିକଶିତ ଓଡ଼ିଶା @୨୦୩୬’ ଲକ୍ଷ୍ୟକୁ ସାକାର କରିବା ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଓଡ଼ିଶା ଅର୍ବାନ ଏକାଡେମୀରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରିଛନ୍ତି। ବୈଠକ ପରେ ମିଡିଆକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ୨୦୩୬ ସୁଦ୍ଧା ସହରାଞ୍ଚଳର ୮୦% ଲୋକଙ୍କୁ ଆବାସ ସୁବିଧା ଯୋଗାଇବାକୁ ‘ସମସ୍ତଙ୍କ ପାଇଁ ଛାତ’ ଅଭିଯାନ ଆରମ୍ଭ ହେଉଛି। ଏଥିରେ ଆର୍ଥିକ ଦୁର୍ବଳ, ସ୍ଵଳ୍ପ ଆୟକାରୀ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଡ଼ା ଆଧାରିତ ଆବାସ ମଡେଲକୁ ଗୁରୁତ୍ୱ ଦିଆଯିବ। ରାଉରକେଲାରୁ ପାଇଲଟ୍ ଆରମ୍ଭ କରାଯାଇ ପର୍ଯ୍ୟାୟକ୍ରମେ ସମସ୍ତ ପ୍ରମୁଖ ସହରକୁ ବିସ୍ତାର କରାଯିବ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସମୀକ୍ଷା ସମୟରେ ବିଭାଗୀୟ ବଜେଟ୍ର ୯୮ ପ୍ରତିଶତ ଶେଷ ହୋଇଥିବାରୁ ଖୁସି ବ୍ୟକ୍ତି କରି ମନ୍ତ୍ରୀ ମହାପାତ୍ର କହିଥିଲେ, ନଗର ଉନ୍ନୟନର ସଫଳତା କେବଳ ଢାଞ୍ଚାଗତ ବିକାଶରେ ମପାଯିବ ନାହିଁ; ଲୋକଙ୍କ ଜୀବନମାନ, ଜୀବିକା ଓ ସୁବିଧାରେ ଆସୁଥିବା ପରିବର୍ତ୍ତନ ହିଁ ସରକାରଙ୍କ ପ୍ରକୃତ ସଫଳତାର ପରିଚୟ।
ସହର ବିକାଶରେ ‘ଲ୍ୟାଣ୍ଡ ପୁଲିଂ’ ମଡେଲକୁ ଗେମ୍-ଚେଞ୍ଜର ଭାବେ ଉପସ୍ଥାପନ କରି ମନ୍ତ୍ରୀ କହିଥିଲେ ଯେ, ୪୦% ଜମି ସାର୍ବଜନୀନ ଢାଞ୍ଚା ପାଇଁ ବ୍ୟବହୃତ ହେବା ସହ ୬୦% ବିକଶିତ ଜମି ମାଲିକଙ୍କୁ ଫେରସ୍ତ ମିଳିବ—ଯାହା ଜମି ବିବାଦ କମେଇବା ସହ ଆଧୁନିକ ନଗର ଯୋଜନାକୁ ତ୍ୱରାନ୍ୱିତ କରିବ।
୪୯ ସହରରେ ସ୍ମାର୍ଟ ନିର୍ମାଣକୁ ପ୍ରୋତ୍ସାହନ—ଜଳ, ରାସ୍ତା ଓ ନିଷ୍କାସନକୁ ଗୁରୁତ୍ବ। “ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି” ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୪୯ଟି ସହରକୁ ଚୟନ କରାଯାଇଛି। ଏହି ସହରଗୁଡ଼ିକରେ ଆଧୁନିକ ସଡ଼କ, ୨୪x୭ ପାନୀୟ ଜଳ ଯୋଗାଣ ଓ ବୈଜ୍ଞାନିକ ନିଷ୍କାସନ ବ୍ୟବସ୍ଥାକୁ ଅଗ୍ରଗତି ଦିଆଯିବ। ସେଥିସହ ‘ଅମୃତ’ ଯୋଜନା ମାଧ୍ୟମରେ ପ୍ରତ୍ୟେକ ସହରୀ ପରିବାରକୁ ନଳ ଯୋଗେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାରେ ସରକାର ପ୍ରତିବଦ୍ଧ।
ଏହାସହ, ୨୮ଟି ନୂତନ ପୌର ସଂସ୍ଥାକୁ ସମ୍ପୂର୍ଣ୍ଣ ସକ୍ରିୟ କରିବା ସହ ସିସିଟିଭି ସର୍ଭେଲାନ୍ସ ବିସ୍ତାର, ବଜାର କମ୍ପ୍ଲେକ୍ସ, କମ୍ୟୁନିଟି ହଲ୍ ଓ ଶ୍ମଶାନ ଭଳି ମୂଳଭୂତ ସାମୁଦାୟିକ ଢାଞ୍ଚାକୁ ଶକ୍ତିଶାଳୀ କରିବା ଉପରେ ମନ୍ତ୍ରୀ ବିଶେଷ ଫୋକସ୍ ଦେଇଛନ୍ତି।
