କୋଲକାତା : ୨୦୨୪ ମସିହାର ଆରଜି କର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସଦ୍ୟ ତଦନ୍ତ ହେବ। ଏହି ମାମଲାରେ ପ୍ରମାଣ ନଷ୍ଟ କରାଯାଇଥିବା ନେଇ ପୀଡ଼ିତା ଟ୍ରେନି ଡାକ୍ତରଙ୍କ ବାପା ମା’ ଅଭିଯୋଗ କରିବାପରେ ହାଇକୋର୍ଟ ଏହି ମାମଲାରେ ସଦ୍ୟ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇର ୩ ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି ଉକ୍ତ ମାମଲାର ତଦନ୍ତ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଶାମ୍ପା ସରକାର ଏବଂ ଜଷ୍ଟିସ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ଦ୍ବାରା ହୋଇଥିବା ଅଭିଯୋଗକୁ ଭଲଭାବେ ଯାଞ୍ଚ କରିବାପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏସ୍ଆଇଟି ଉକ୍ତ ମାମଲାର ତଦନ୍ତ ରିପୋର୍ଟ ଜୁନ୍ ୨୫ ସୁଦ୍ଧା ହାଇକୋର୍ଟରେ ଦାଖଲ କରିବାକୁ କୁହାଯାଇଛି। ସିବିଆଇର ଇଷ୍ଟର୍ଣ୍ଣ ଜୋନ୍ ଯୁଗ୍ମ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏସ୍ଆଇଟି ଉକ୍ତ ମାମଲାରେ ସଦ୍ୟ ତଦନ୍ତ କରିବ। ଅନ୍ୟପକ୍ଷେ ଏସ୍ଆଇଟିର ଅନ୍ୟ ୨ ସଦସ୍ୟ କିଏ ରହିବେ ତାହା କୋର୍ଟ ୪୮ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନେବେ।
କୋର୍ଟ ଏହି ମାମଲାରେ ସିବିଆଇକୁ ପୂରା ଘଟଣାର ପୁନର୍ବାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ଅଗଷ୍ଟରେ ଟ୍ରେନି ଡାକ୍ତର ଡିନର କରିବା ସମୟଠାରୁ ଆରମ୍ଭ କରି ତାଙ୍କ ସହ ହୋଇଥିବା ବର୍ବରତା ଏବଂ ପରଦିନ ତାଙ୍କ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଘଟଣାର ପୁନର୍ବାର ତଦନ୍ତ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ , ପୀଡ଼ିତାଙ୍କ ବାପା ମା’ ଏହି ମାମଲାରେ ସଦ୍ୟ ତଦନ୍ତ ପାଇଁ ଦାବି କରି କାଲକାଟା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ବର୍ବର ଅପରାଧରେ ୧ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ଅଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏହି ମାମଲାରେ ଏବେ ସିଭିକ ଭଲ୍ୟୁଣ୍ଟିୟର ସଞ୍ଜୟ ରାୟ ଗିରଫ ହୋଇ ସିଅଲଦା ସେସନ୍ କୋର୍ଟଙ୍କ ଦ୍ବାରା ଆଜୀବନ କାରାଦଣ୍ଡ ଭୋଗୁଛି।
