ଦେବୀ ନଦୀରେ ବୁଡି ଜଣେ ଯୁବକ ମୃତ, ଅନ୍ୟ ଜଣେ ଉଦ୍ଧାର

ରାଜ୍ୟ
Spread the love

ବାଲିକୁଦା: ଜଗତସିଂହପୁରଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ପଞ୍ଚାୟତ ଅସିଲ ଗ୍ରାମ ଦେଇ ପ୍ରବାହିତ ହୋଇଥିବା ଦେବୀ ନଦୀରୁ ମାଛ ଧରିବାକୁ ଯାଇଥିବା ଉକ୍ତ ପଞ୍ଚାୟତର ସଂଗ୍ରାମ ପରିଡା (୨୮) ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ସହଯୋଗୀ ମିଲୁ ପରିଡା ମଧ୍ୟ ବୁଡ଼ିଯାଉଥିବାବେଳେ ସ୍ଥାନୀୟ ଲୋକ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ ସୁକିଦା ଗ୍ରାମର ସଂଗ୍ରାମ ଯିଏକି କଟକରେ ରହି ନିଜର ବ୍ୟବସାୟ କରିଥାନ୍ତି ସେ ଗତ ୨ ଦିନ ତଳେ ନିଜ ଗ୍ରାମକୁ ଆସିଥିଲେ। ସେ ଜଣେ ଭଲ କ୍ରିକେଟ ଖେଳାଳି ହୋଇଥିବା କାରଣରୁ ତାଙ୍କ ଟିମ ଆଜି ଅପଣ୍ଡରାଠାରେ ସେମିଫାଇନାଲ ମ୍ୟାଚ ଖେଳିବା ନେଇ ସେ ଘରେ ରହିଥିଲେ। ଆଜି ସକାଳ ୮ଟା ସମୟରେ ଗ୍ରାମ ଠାରୁ ୨୦୦ ମିଟର ଦୂର ଅସିଲ ଗ୍ରାମକୁ ଯାଇ ଦେବୀ ନଦୀରେ ନିଜ କ୍ରିକେଟ ଟିମର ସାଥି ଖେଳାଳି ମାଛ ଧରୁଥିବା ଦେଖି ନିଜର ୪ ଜଣ ସାଙ୍ଗ ସହ ନଦୀ କୂଳକୁ ଯାଇଥିଲେ। ନଦୀ ଆର ପଟେ ମାଛ ଧରୁଥିବା ନିଜ ଟିମର ବଳରାମ ମହାନ୍ତି ନଦୀ ମଧ୍ୟରେ ପ୍ରବେଶ ପାଇଁ ବାରମ୍ବାର ବାରଣ କରିବା ସତ୍ତ୍ୱେ ନଦୀ ମଧ୍ୟରେ ପ୍ରବେଶ କରିଥିଲେ।
ଏହି ସମୟରେ ଜଣେ ବନ୍ଧୁ ଟିକିଏ ଆଗକୁ ଯାଇ ବୁଡି ଯାଉଥିବା ସମୟରେ ବଳରାମ ଏହା ଦେଖି ତାଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡି ସଂଗ୍ରାମକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିବା ସମୟରେ ସେ ବୁଡି ଯାଇଥିଲା। ବଳରାମ ବହୁ ଖୋଜାଖୋଜି କରିବା ପରେ ଉଦ୍ଧାର କରି ନପାରି ଶେଷରେ ବାଲିକୁଦା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା। ପରେ ବାଲିକୁଦା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଅଗ୍ନିଶମ ବିଭାଗ ପ୍ରାୟ ୩ ଘଣ୍ଟା ଖୋଜିବା ପରେ ଉଦ୍ଧାର ପାଇଁ ସଫଳ ହୋଇ ନଥିବାରୁ ଓଡ୍ରାଫ ଟିମର ସହାୟତା ନିଆଯାଇଥିଲା। ଓଡ୍ରାଫ ଟିମ ପହଞ୍ଚି ପ୍ରାୟ ଏକ ଘଣ୍ଟା ପରେ ଉଦ୍ଧାର କରିବା ସମୟରେ ସଂଗ୍ରାମର ପ୍ରାଣବାୟୁ ଉଡି ଯାଇଥିଲା। ଆମ୍ବୁଲାନ୍ସ ଯୋଗେ ବାଲିକୁଦା ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ପରେ ଥାନା ଅଧିକାରୀ କାବୁଲି ବାରିକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଜଗତସିଂହପୁର ମୁଖ୍ୟ ମେଡିକାଲ ଶବ ବ୍ୟବଛେଦ ପାଇଁ ପଠାଇ ଦେଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *