ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା

ରାଜ୍ୟ
Spread the love

ଜଗତସିଂହପୁର: ଜଗତସିଂହପୁରଜିଲ୍ଲା ପରିଷଦ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଯିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଜଣେ ମହିଳା କର୍ମଚାରୀ ବାଥରୁମ୍ ବ୍ୟବହାର କରିବା ସମୟରେ ସ୍ପାଏ କ୍ୟାମେରା ଖସି ପଡ଼ିଥିଲା। କ୍ୟାମେରା ଦେଖି ମହିଳା ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ଜିଲ୍ଲା ପରିଷଦ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଜିଲ୍ଲାପାଳ ଘଟଣା ସମ୍ପର୍କରେ ତଦନ୍ତ କରିବା ଲାଗି ଏସପିଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ତଥା ତିର୍ତ୍ତୋଲ ବିଡିଓ ତିର୍ତ୍ତୋଲ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଜାରି ରହିଛି। ଆଜି ଛୁଟି ରହିଥିବାରୁ ତଦନ୍ତରେ ବାଧା ଉପୁଜିପାରେ ବୋଲି କୁହାଯାଉଛି।
ଏଠାରେ ପ୍ରଶ୍ନ ଉଠୁଛି ଏହି ସ୍ପାଏ କ୍ୟାମେରାକୁ ଲଗାଇଲା କିଏ? କୌଣସି ପୁରୁଷ କର୍ମଚାରୀ ନା ମହିଳା କର୍ମଚାରୀ? ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ରଖି ବ୍ଲାକମେଲିଂ ଉଦ୍ଦେଶ୍ୟରେ ଲଗାଯାଇଛି ନା ପ୍ରତିଶୋଧ ନେବାକୁ ଏହି କ୍ୟାମେରା ଖଞ୍ଜାଯାଇଛି? ନିର୍ଦ୍ଦିଷ୍ଟ ମହିଳାଙ୍କର ଭିଡିଓ, ଫଟୋ ଉତ୍ତୋଳନ କରାଯାଇଛି ନା ଅନେକ ମହିଳା କର୍ମଚାରୀ ଏହି ଜାଲରେ ଫସିଛନ୍ତି? କେତେଦିନ ପୂର୍ବରୁ ଲଗାଯାଇଛି? କ୍ୟାମେରା କିଏ କିଣିଥିଲା? ତାହାର ସରଜମିନ୍ ତଦନ୍ତ କରୁଛି ପୁଲିସ।
ପୂରା କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ମହିଳା ବାଥରୁମକୁ କେହି ପୁରୁଷ ପ୍ରବେଶ କରିଛନ୍ତି କି ତାକୁ ନେଇ ଯାଞ୍ଚ କରାଯାଉଛି। ଯଦି କେହି ପୁରୁଷ ପ୍ରବେଶ କରି ନ ଥିବେ ତାହେଲେ ତଦନ୍ତ ପ୍ରକ୍ରିୟା ଟିକେ ଲମ୍ବା ହୋଇପାରେ ବୋଲି କୁହାଯାଉଛି। କିନ୍ତୁ ଏହି ଘଟଣାକୁ ନେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ କମ୍ପନ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *