ଜଗତସିଂହପୁର/ବାଲିତୁଠ: ଜଗତସିଂହପୁର ଜିଲ୍ଲା ଏରସମାର ଢିଙ୍କିଆ ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ର ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସ୍ ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇଛି। ଢିଙ୍କିଆ ଅଞ୍ଚଳରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ରାଜଧାନୀ’ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି।
ଶ୍ରୀ ମାଝୀ କହିଛନ୍ତି ଯେ ଯେଉଁ ପ୍ରକଳ୍ପ ପାଇଁ ଜନସାଧାରଣ ଦୁଇ ଦଶନ୍ଧି ଧରି ଅପେକ୍ଷା କରିଥିଲେ ଏବଂ ଦୁଇ ବର୍ଷ ତଳେ ଯାହାର କେବଳ ତରବରିଆ ଶିଳାନ୍ୟାସ କରାଯାଇଥିଲା, ତାହାକୁ ନୂତନ ଡବଲ୍ ଇଞ୍ଜିନ୍ ସରକାର ଫାଷ୍ଟ-ଟ୍ରାକ୍ ମୋଡ୍ରେ କାର୍ଯ୍ୟକାରୀ କରାଇଛି। ପୂର୍ବ ଗତିରେ କାମ ଚାଲିଥିଲେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୮ ମସିହାରେ ଆରମ୍ଭ ହୋଇଥାନ୍ତା। ବର୍ତ୍ତମାନ ୨୦୨୮ ସୁଦ୍ଧା ନିର୍ମାଣ ସମ୍ପୂର୍ଣ୍ଣ ହୋଇ ଷ୍ଟିଲ୍ ଉତ୍ପାଦନ ଆରମ୍ଭ ହେବ। ରାଜ୍ୟରେ ଗଲା ଦୁଇ ବର୍ଷ ମଧ୍ୟରେ ୪୩୩ଟି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିବା ବେଳେ ଏହା ଦ୍ୱାରା ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର ନିବେଶ ସହ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବର୍ତ୍ତମାନ ସୁଦ୍ଧା ୧୪୮ଟି ପ୍ରକଳ୍ପର ଭୂମିପୂଜା ସରିଛି। ଏହା ମାଧ୍ୟମରେ ପ୍ରାୟ ୨ ଲକ୍ଷ ୩୭ ହଜାର ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି। ହାଇଦ୍ରାବାଦ, କୋଲକାତା ଓ ଗୁଜରାଟ ଗସ୍ତ କରି ସେ ପ୍ରାୟ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆଣିବାରେ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ଥିବା ସ୍ନେହ ଓ ସହଯୋଗ ଯୋଗୁଁ ନିବେଶକମାନେ ଏବେ ଓଡ଼ିଶାମୁହାଁ ହେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ କଳ୍ପନାରେ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ସେଥିରେ ପାରାଦୀପ ସବୁଠାରୁ ଶୀର୍ଷରେ ରହିବ
ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଉତ୍ସବରେ ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଏହା ପାରାଦୀପ ଏବଂ ସମଗ୍ର ଜଗତସିଂହପୁର ଜିଲ୍ଲାର ଔଦ୍ୟୋଗିକ ବିକାଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଜେଏସ୍ଡବ୍ଲ୍ୟୁ ପକ୍ଷରୁ ଏହି ପ୍ରକଳ୍ପରେ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ, ଯାହାକି ଓଡ଼ିଶା ଶିଳ୍ପ ଇତିହାସରେ ସର୍ବାଧିକ। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ଲାଣ୍ଟରୁ ବାର୍ଷିକ ପ୍ରାୟ ୨୪ ମିଲିଅନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବା ସହ ଏଠାରେ ୧୨ ମିଲିଅନ୍ ଟନ୍ର ଏକ ସିମେଣ୍ଟ ପ୍ଲାଣ୍ଟ, ୯୦୦ ମେଗାୱାଟ୍ର କାପ୍ଟିଭ୍ ପାୱାର ସିଷ୍ଟମ୍ ଏବଂ ଏକ ସ୍ୱତନ୍ତ୍ର ଜେଟି ନିର୍ମାଣ କରାଯିବ। ଏହି ସମାରୋହରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ, ଜେଏସ୍ଡବ୍ଲ୍ୟୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ସିଇଓ ଜୟନ୍ତ ଆଚାର୍ଯ୍ୟ, ସଭାପତି ଅନିଲ କୁମାର ସିଂହ ଉପସ୍ଥିତ ଥିଲେ।
