ନେମାଳ : ଭବିଷ୍ୟତ ମାଳିକାର ରଚୟିତା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ପାଇଁ ନେମାଳ ପଞ୍ଚାୟତ ସମ୍ମିଳନୀ ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ଯାତ୍ରାକୁ ସୂଚାରୁରୂପେ ସଂପାଦନ କରିବା ପାଇଁ ଆଲୋଚନା କରିଥିଲେ।
ଚଳିତ ବର୍ଷ ରାଜ୍ୟ ତଥା ଦେଶ-ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ଯାତାୟାତ ସୁବିଧା, ପାନୀୟ ଜଳର ବ୍ୟବସ୍ଥା ଏବଂ ସୁରକ୍ଷିତ ଦର୍ଶନ ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯାତ୍ରା ସମୟରେ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ବିଧାୟକ ଉପସ୍ଥିତ ସରକାରୀ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ, ଅତିରିକ୍ତ ବିଡ଼ିଓ, ଜଳସେଚନ ବିଭାଗର ଉଚ୍ଚ ପଦାଧିକାରୀ ଏବଂ ପୋଲିସ ପ୍ରଶାସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏଥିସହ ନେମାଳ ସରପଞ୍ଚ, ବ୍ୟବସାୟୀ ସଂଘ ସଭାପତି ସୁଧାକର ମହାପାତ୍ର, ବିଜେପି କାର୍ଯ୍ୟକର୍ତ୍ତା ରବିନ୍ଦ୍ରନାଥ ପୃଷ୍ଟି, ଅଜୟ ପୃଷ୍ଟି, କେଶବ ଦଳେଇ, ପ୍ରଶାନ୍ତ ବେହେରା, ମଳୟ ଦେ, ମୀନକେତନ ମହାନ୍ତି, ଅମିୟ ପ୍ରସାଦ ମହାନ୍ତି, ବିଭୂତି ମହାରଣା, ଅଜୟ ମହାନ୍ତି, ଲକ୍ଷ୍ମଣ ସେଠୀ ଏବଂ ବାବା ଅନନ୍ତରାମ ଦାସଙ୍କ ସମେତ ବହୁ ସରକାରୀ ଓ ବେସରକାରୀ ଜନପ୍ରତିନିଧି ଯୋଗ ଦେଇଥିଲେ। କଟକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ପ୍ରସ୍ତୁତି ପର୍ଯ୍ୟାୟରେ ନିଜ ନିଜର ମତାମତ ରଖିଥିଲେ।
