ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ, ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ

ରାଜ୍ୟ
Spread the love

ଭୁବନେଶ୍ବର ୪।୬: ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ତହସିଲର ମୂଳ ଓଡ଼ିଆ ନାମ ସଂଶୋଧନ ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ ୫୦ରୁ ଅଧିକ ସ୍ଥାନର ନାମକୁ ସେମାନଙ୍କର ମୂଳ ଓଡ଼ିଆ ଉଚ୍ଚାରଣ ଓ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ସୁପାରିସ କରାଯାଇଛି।
ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗତ ୨ ଜୁନରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଭାଷା, ଇତିହାସ, ଭୂଗୋଳ ଓ ପ୍ରଶାସନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଥିଲେ। କମିଟି ପୂର୍ବରୁ ପ୍ରାପ୍ତ ବିଭିନ୍ନ ପ୍ରସ୍ତାବର ସମୀକ୍ଷା କରି ଏହି ସୁପାରିସ କରିଛି।
କମିଟିର ସୁପାରିସ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ‘Junagarh’କୁ ‘ଜୁନାଗଡ଼ା’, Kandhamalକୁ ‘କନ୍ଧମାଳ’ ଏବଂ ସୁନ୍ଦରଗଡ଼ ଜିଲ୍ଲାର ‘Bonaigarh’କୁ ‘ବଣାଇଗଡ଼ା’ ଭାବେ ନାମକରଣ କରିବାକୁ ପ୍ରସ୍ତାବ ରହିଛି।
ସେହିପରି ‘Nimapara’ ହେବ ‘ନିମାପଡ଼ା’, ‘Umerkote’ ହେବ ‘ଉମରକୋଟ’, ‘Boudhgarh’ ହେବ ‘ବୌଦ୍ଧଗଡ଼ା’, ‘Rourkela’ ହେବ ‘ରାଉରକେଲା’, ‘Talcher’ ହେବ ‘ତାଳଚେର’ ଏବଂ ‘Soro’ ହେବ ‘ସୋରା’।
ତାଲିକାରେ ଗଞ୍ଜାମ ଜିଲ୍ଲାର ବହୁ ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକ୍‌ର ନାମ ମଧ୍ୟ ରହିଛି। ‘Berhampur’କୁ ‘ବ୍ରହ୍ମପୁର’, ‘Hinjilicut’କୁ ‘ହିଞ୍ଜିଳିକାଟୁ’, ‘Aska’କୁ ‘ଆସିକା’ ଏବଂ ‘Surada’କୁ ‘ସୋରଡ଼ା’ କରିବାକୁ ସୁପାରିସ କରାଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲାର ‘Kendrapara’କୁ ‘କେନ୍ଦ୍ରାପଡ଼ା’, ‘Aul’କୁ ‘ଆଳି’ ଓ ‘Mahakalapada’କୁ ‘ମହାକାଳପଡ଼ା’ କରିବା ପ୍ରସ୍ତାବ ରହିଛି। ସେହିପରି ‘Keonjhar’କୁ ‘କେନ୍ଦୁଝର’, ‘Keonjhargarh’କୁ ‘କେନ୍ଦୁଝରଗଡ଼’ ଏବଂ ‘Barbil’କୁ ‘ବଡ଼ବିଲ’ ନାମ ଦେବାକୁ କମିଟି ମତ ଦେଇଛି।
ଖୋର୍ଦ୍ଧା ଜିଲ୍ଲାର ‘Khurda’କୁ ‘ଖୋର୍ଦ୍ଧା’, ‘Bolagarh’କୁ ‘ବୋଲଗଡ଼’, ‘Jatni’କୁ ‘ଜଟଣୀ’ ଏବଂ କୋରାପୁଟର ‘Jeypore’କୁ ‘ଜୟପୁର’ କରିବା ପାଇଁ ସୁପାରିସ କରାଯାଇଛି।
କମିଟିର ମତ ହେଉଛି, ଇଂରାଜୀ ଶାସନ କାଳ ଓ ପରବର୍ତ୍ତୀ ସମୟରେ ଅନେକ ସ୍ଥାନର ନାମର ଉଚ୍ଚାରଣ ଏବଂ ବନାନ ବିକୃତ ହୋଇଯାଇଥିଲା। ମୂଳ ଓଡ଼ିଆ ନାମ ପୁନଃସ୍ଥାପନ ହେଲେ ରାଜ୍ୟର ଭାଷାଗତ ଐତିହ୍ୟ ଓ ସାଂସ୍କୃତିକ ପରିଚୟ ଅଧିକ ସୁଦୃଢ଼ ହେବ।

ବୈଠକରେ ଗୃହୀତ ସୁପାରିସଗୁଡ଼ିକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ସରକାରୀ ଅନୁମୋଦନ ପରେ ସମ୍ପୃକ୍ତ ସ୍ଥାନଗୁଡ଼ିକର ନାମ ପରିବର୍ତ୍ତନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *