ତେହେରାନ/ୱାସିଂଟନ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଆମେରିକା-ଇରାନ ସାମରିକ ସଂଘର୍ଷ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି, ଯାହା ଭୂ-ରାଜନୈତିକ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ମୋଜତବା ଏକ ଲିଖିତ ବାର୍ତ୍ତା ମାଧ୍ୟମରେ ଦାବି କରିଛନ୍ତି ଯେ ଆମେରିକା ଓ ଇସ୍ରାଏଲ୍ ସାମରିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ପରାଜିତ ହୋଇଛନ୍ତି। ସାମରିକ କାର୍ଯ୍ୟାନୁଷ୍ଠାନରେ ଇରାନକୁ ଦୁର୍ବଳ କରିବାରେ ବିଫଳ ହେବା ପରେ ଏବେ ବିଦେଶୀ ଶକ୍ତିମାନେ ଦେଶ ଭିତରେ ଭେଦଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଲୋକଙ୍କୁ ସତର୍କ କରାଇଛନ୍ତି।
ଚଳିତ ବର୍ଷ ଫେବୃଆରି ମାସରେ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣରେ ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ପ୍ରାଣ ହରାଇବା ପରେ ମୋଜତାବା ଇରାନର ନେତୃତ୍ୱ ନେଉଛନ୍ତି। ସୁରକ୍ଷା କାରଣରୁ ସେ ସର୍ବସାଧାରଣ ସାମ୍ନାକୁ ନଆସି କେବଳ ଲିଖିତ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ସର୍ବୋଚ୍ଚ ନେତା କହିଛନ୍ତି ଯେ ସାମ୍ନାସାମ୍ନି ଯୁଦ୍ଧରେ ଆମେରିକା ଏବଂ ତାର ଆଞ୍ଚଳିକ ସହଯୋଗୀମାନେ ନିଜର ଲକ୍ଷ୍ୟ ହାସଲ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାମରିକ ପରାଜୟ ପରେ ଶତ୍ରୁପକ୍ଷ ଏବେ ଇରାନ ବିରୋଧରେ ଏକ ‘ହାଇବ୍ରିଡ୍ ୱାର୍’ ଅର୍ଥାତ୍ ସମ୍ମିଳିତ କୂଟନୈତିକ, ସାମାଜିକ ଓ ମାନସିକ ଯୁଦ୍ଧ ଆରମ୍ଭ କରିଛନ୍ତି।
ମୋଜତବା ଚେତାବନୀ ଦେଇଛନ୍ତି ଯେ ଶତ୍ରୁମାନେ ଏବେ ଇରାନର ସାଧାରଣ ନାଗରିକଙ୍କ ମଧ୍ୟରେ ଭୟ, ନିରାଶା, ଅବିଶ୍ୱାସ ଏବଂ ସନ୍ଦେହର ବାତାବରଣ ସୃଷ୍ଟି କରି ଦେଶକୁ ଭିତରୁ ଦୁର୍ବଳ କରିବାକୁ ଷଡ୍ଯନ୍ତ୍ର କରୁଛନ୍ତି। ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ କୁଏତ ଆନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ଉପରେ ହୋଇଥିବା ଇରାନର ରକେଟ୍ ଓ ଡ୍ରୋନ ମାଡ଼କୁ ନେଇ କୂଟନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣରେ ବିମାନବନ୍ଦରର ବ୍ୟାପକ କ୍ଷତି ଘଟିଥିବା ବେଳେ ଜଣେ ଭାରତୀୟ ନାଗରିକଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। କୁଏତ ସରକାର ଏହି ଆକ୍ରମଣକୁ ଇରାନର ବର୍ବରତା ବୋଲି କହିବା ସହ ତେହେରାନର ଦୁଇଜଣ ବରିଷ୍ଠ କୂଟନୀତିଜ୍ଞଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ହର୍ମୁଜ ପ୍ରଣାଳୀରେ ନିଜର ସାମରିକ ଉପସ୍ଥିତିକୁ ଅଧିକ ମଜବୁତ କରିବା ସହ ଇରାନର କେଶମ ଦ୍ୱୀପରେ ଥିବା ସାମରିକ ଘାଟିକୁ ଟାର୍ଗେଟ୍ କରୁଛି। ଅପରପକ୍ଷରେ, ଆମେରିକା ଭିତରେ ଏହି ଯୁଦ୍ଧକୁ ନେଇ ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ସ୍ପଷ୍ଟ କରିଛି ଯେ ସାମରିକ ଆକ୍ରମଣର ବିକଳ୍ପ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଏହି ସମୟରେ ଆମେରିକା ସଂସଦ ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁଦ୍ଧ କ୍ଷମତା ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରିଛି। ଏହି ପ୍ରସ୍ତାବ ଅନୁଯାୟୀ, ସଂସଦର ସ୍ପଷ୍ଟ ଅନୁମତି ବିନା ରାଷ୍ଟ୍ରପତି ଇରାନ ଭୂଖଣ୍ଡ ଉପରେ କୌଣସି ନୂତନ ଆକ୍ରମଣ କରିପାରିବେ ନାହିଁ। ଟ୍ରମ୍ପ ଏହା ଉପରେ ଭିଟୋ ପ୍ରୟୋଗ କରି ଏହି ପ୍ରସ୍ତାବକୁ ରଦ୍ଦ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହା ୱାସିଂଟନର ଆଭ୍ୟନ୍ତରୀଣ ରାଜନୈତିକ ମତଭେଦକୁ ପଦାରେ ପକାଇଛି।
