ଝଙ୍କଡ଼ ସାରଳା ପୀଠରେ ବୃକ୍ଷରୋପଣ ନୁହେଁ ବୃକ୍ଷ ଛେଦନ ଚାଲିଛି : ଶୀତଳ ଛାୟା ରୁ ବଞ୍ଚିତ ହେଉଛନ୍ତି ଯାତ୍ରୀ ଓ ପର୍ଯ୍ୟଟକ

ରାଜ୍ୟ
Spread the love

ଝଙ୍କଡ଼  :  ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ରେ ପ୍ରତିଦିନ ପ୍ରବଳ ଯାତ୍ରୀ ସମାଗମ କୁ ଦୃଷ୍ଟିରେ ରଖି ସେବାୟତ ମାନଙ୍କ ଦ୍ୱାରା ଓ ମନ୍ଦିର ପ୍ରଶାସନ ର ମିଳିତ ଉଦ୍ୟମରେ ମନ୍ଦିରବେଢାରେ ଓ ପୀଠର ଚତୁଃପାର୍ଶ୍ଵ ରେ ବିଭିନ୍ନପ୍ରକାରର ଛାୟାପ୍ରଦ ବୃକ୍ଷରୋପଣ କରାଯାଇଥିଲା l ମାତ୍ର ଚଳିତବର୍ଷ ଗ୍ରୀଷ୍ମଋତୁ ଆସିବାପୂର୍ବରୁ ଏହିସବୁ ଛାୟାପ୍ରଦ ବୃକ୍ଷ୍ୟମାନଙ୍କୁ, କାଟିଦିଆଯାଇଥିବା ବେଳେ ଆଉ କେତେକ ଜୀବନ୍ତ ଗଛର ଶାଖା ପ୍ରଶାଖା ଗୁଡିକ କାଟିଦିଆଯାଇଛି l ସେବାୟତ ତଥା ସ୍ଥାନୀୟ ଅଧିବାସୀମାନଙ୍କ ବିରୋଧ ସତ୍ବେ, ସାରଳା ମନ୍ଦିର ପ୍ରଶାସନିକ ଅଧିକାରୀ ଙ୍କ ଅଜବନୀତି ଯୋଗୁଁ ଏପରି ଅମୂଳକ ପଦକ୍ଷେପ ନିଆଯାଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ବିଶେଷକରି ମନ୍ଦିରବେଢାରେ ଥିବା ବଉଳ ଗଛଗୁଡିକ ଗ୍ରୀଷ୍ମଋତୁ ର ପ୍ରଚଣ୍ଡ ରୌଦ୍ରତାପ ରୁ ଶୀତଳଛାୟା ପ୍ରଦାନ କରୁଥିଲେ ମଧ୍ୟ ପ୍ରତିବର୍ଷ, ଠିକାଦାର ମାନଙ୍କୁ ପୋଷିବାପାଇଁ, ବେଢାର ଚତୁଃପାର୍ଶ୍ୱରେ ବାଉଁଶବାନ୍ଧି, ନଡ଼ିଆବାହୁଙ୍ଗା ଛାମୁଡ଼ିଆ କରାଯାଇ, ମାତ୍ର ଚାରିମାସ ପାଇଁ ଲକ୍ଷାଧିକ ଟଙ୍କା ମନ୍ଦିର ପାଣ୍ଠି ରୁ ବରବାଦ କରାଯାଉଛି l

ଅପରପକ୍ଷରେ ମନ୍ଦିର ସମ୍ମୁଖସ୍ଥ କନକପୁର ବଜାର, ଦକ୍ଷିଣଦ୍ୱାର ସେବାୟତ ମଣ୍ଡପ ପାର୍ଶ୍ଵରେ ଥିବା ବିଶାଳକାୟ ବଉଳଗଛ ଓ ଅନ୍ୟାନ ଛାୟାପ୍ରଦ ଗଛଗୁଡିକ କାଟିଦିଆଯାଇଥିବାରୁ ଯାତ୍ରୀ ଓ ପର୍ଯ୍ୟଟକ ମାନେ ପ୍ରଚଣ୍ଡଖରା ରେ ଗାଡିପାର୍କିଂ ସ୍ଥାନରୁ ମାଆ ଙ୍କ ମନ୍ଦିର ଭିତରକୁ ଆସିବା ସମୟରେ ଛଟପଟ ହୋଇଯାଉଛନ୍ତି l ଅନ୍ୟାନ ମନ୍ଦିର ଭଳି ଯଦି, ପଥରଚଟାଣ ଉପରେ କାର୍ପେଟ, ବିଛାଇ ଦିଆଯାଆନ୍ତା ତେବେ ଯାତ୍ରୀମାନେ, ଯାତାୟତ କରିବା କ୍ଷେତ୍ରରେ ସୁବିଧା ହୋଇପାରନ୍ତା l ମାତ୍ର ପ୍ରଶାସନ ସ୍ଥାୟୀ ନିରାକରଣ ର ବ୍ୟବସ୍ଥା ନକରି, ମନ୍ଦିରବେଢାରୁ ଓ ବେଢା ବାହାରୁ ଗୋଟିଏ ପରେ ଗୋଟିଏ ଛାୟାପ୍ରଦ ଗଛ କାଟିଚାଲିଥିବାରୁ, ପରିବେଶବିତ୍ତ ମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି l ଆଜକୁ ଚାରିଶହ ବର୍ଷତଳେ, ବର୍ତ୍ତମାନର ସାରଳାମନ୍ଦିର ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଉପରେ ଦଧିନଉତି ନିର୍ମାଣ କାର୍ଯ୍ୟ ସରିନଥିଲା l ତେଣୁ ସେତେବେଳେ ନିକଟସ୍ଥ ସର୍ଦ୍ଦୋଳା ଗ୍ରାମର ସିରିଆ ଚମାର ନାମକ ଜଣେ ବ୍ୟକ୍ତି ଦ୍ୱାରା ପ୍ରସ୍ତୁତ ତାଳପତ୍ର ତାଟି ମନ୍ଦିରଚୁଳ ରେ ରଖାଯାଇଥିଲା l ସେତେବେଳେ ଲୋକମାନେ ତାହାକୁ ବ୍ୟଙ୍ଗୋକ୍ତି କରି କହୁଥିଲେ, ” ତଳେ ଶଙ୍ଖମଲମଲ ମାଟି, ଉପରେ ସିରିଆ ଚମାର ତାଟି ” ହେଲେ ଆଜିବି ସେଇ ଅବସ୍ଥା ଦେଖିବାକୁ ପଡୁଛି, ମାଆ ସାରଳା ଠାକୁରାଣୀ ଙ୍କ ମନ୍ଦିରର ପରିସରରେ l ଯଦି ଲାଇଟ ପାସ କରୁଥିବା ଆଜବେଷ୍ଟସ, ମନ୍ଦିରବେଢାର ଚତୁଃପାର୍ଶ୍ଵରେ ପକାଯାଇ ପାରନ୍ତା ତେବେ ହୁଏତ ପ୍ରତିବର୍ଷ ଛାମୁଡିଆ ପ୍ରସ୍ତୁତ କରିବା ଆଳରେ ଲକ୍ଷାଧିକ ଟଙ୍କା, ମନ୍ଦିରପାଣ୍ଠି ରୁ ବିନର୍ବୟ ହୁଅନ୍ତା ନାହିଁ l ସାରଳା ମନ୍ଦିର ପ୍ରଶାସନ ଓ ଜିଲ୍ଲାପ୍ରଶାସନ ସମେତ ରାଜ୍ୟଦେବୋତ୍ତର ବିଭାଗ ଏହି ଘଟଣା ର ଅନୁଧ୍ୟାନ କରି ଅଧିକ ରୁ ଅଧିକ ବୃକ୍ଷ୍ୟରୋପଣ ସହିତ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣ ରେ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *