ଭୁବନେଶ୍ବର : କରଜରେ ବୁଡ଼ି ରହିଥିଲେ ବାପା। ବିଦେଶରେ ରହି କରଜ ସୁଝୁଥିଲେ ପୁଅ। ବାପା କରଜ କରିଥିବା ତଥା ସେଥିରୁ ଝିଅକୁ (ବିବାହିତା) ୫ ଲକ୍ଷ ଟଙ୍କା ଦେବା କଥା ଶୁଣି ରାଗି ଯାଇଥିଲେ ପୁଅ। ଏହାକୁ ନେଇ ଗତକାଲି ରାତିରେ ବାପପୁଅଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା। ଏହା ପରେ ରାତି ପ୍ରାୟ ୨ଟା ବେଳେ ବାପା ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ଗଲା ବେଳେ କହିଥିଲେ ଯେ ସେ ଆଉ ଫେରିବେନି। କୁଆଡ଼େ ଗୋଟେ ପଳେଇବେ ବୋଲି କହିଥିଲେ। ଏହା ଶୁଣି ପୁଅ ଆହୁରି ରାଗି ଯାଇଥିଲେ ଓ ବିଷ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଖୋଜାଖୋଜି କରିବା ପରେ ବାଲୁଗାଁ ଷ୍ଟେସନ ନିକଟ ରେଳ ଧାରଣାରୁ ମିଳିଥିଲା ବାପାଙ୍କ ମୃତଦେହ। ସେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି।
ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କେଶପୁର ଗାଁରେ। ମୃତକମାନେ ହେଉଛନ୍ତି ନବଘନ ପ୍ରଧାନ ଓ ତାଙ୍କ ସାନ ପୁଅ ତୋଫାନ ପ୍ରଧାନ। ନବଘନ ତାଙ୍କ ଗାଁ ତଥା ଆଖପାଖ ଗାଁରୁ ବିଭିନ୍ନ ଲୋକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଉଧାରି କରିଥିଲେ। ସେଥିରୁ ସେ ୫ ଲକ୍ଷ ତାଙ୍କ ଝିଅଙ୍କୁ ଦେଇଥିଲେ, ଯିଏ ବିବାହିତା। ୧୦ ଦିନ ତଳେ ବିଦେଶରୁ ଘରକୁ ଫେରିଥିବା ତୋଫାନ ଏ କଥା ଜାଣିବା ପରେ ଭାରି ବିରକ୍ତ ହୋଇଥିଲେ। ଏହି କଥାକୁ ନେଇ ଗତକାଲି ରାତିରେ ବାପପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଉ ତା’ପରେ ଉଭୟେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଆଜି ଗାଁ ମଶାଣିରେ ଗୋଟିଏ ଜୁଇରେ ନବଘନ ଓ ତାଙ୍କ ପୁଅ ତୋଫାନଙ୍କର ଶବ ସତ୍କାର କରାଯାଇଛି। ଏହି ଘଟଣାକୁ ନେଇ ପୂରା ଗାଁ ମର୍ମାହତ ହୋଇଛି।
