ଭୁବନେଶ୍ବର: ରାଜ୍ୟର ମୋଟ ୩ କୋଟି ୩୩ଲକ୍ଷ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାକ୍ ଏସ୍ଆଇଆର୍ରେ ୩କୋଟି ୧୬ଲକ୍ଷ ଅର୍ଥାତ୍ (୯୪.୬%) ପ୍ରତିଶତ ଭୋଟରଙ୍କ ମ୍ୟାପିଂ (ତଥ୍ୟା ସମନ୍ବୟ) ସଫଳତାର ସହକାରେ ଶେଷ ହୋଇଛି ବୋଲି ଆଜି ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମର ସମୀକ୍ଷା ବୈଠକରୁ ଜଣାଯାଇଛି।
ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମ ଦିନରେ ଭୁବନେଶ୍ୱର ରେ ସମୀକ୍ଷା କରିଛନ୍ତି। ଆସନ୍ତକାଲି ଗଞ୍ଜାମଜିଲ୍ଲା ଯାଇ ସେଠାରେ ସ୍ୱତନ୍ତ୍ର ସଘନ ସଂଶୋଧନର ଅଗ୍ରଗତି ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଜି (ମଙ୍ଗଳବାର) ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଭାରତର ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଅଧ୍ୟକ୍ଷତା କରିଥିଲେ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପ୍ରତି ମାତ୍ର ୫.୩୪ ପ୍ରତିଶତ ଭୋଟରଙ୍କ ଅନ୍-ମ୍ୟାପିଂ ରହିଛି। ଏବେ ସୁଦ୍ଧା ଅର୍ଥାତ ଜୁନ ୧୬(ମଙ୍ଗଳବାର) ସୁଦ୍ଧା ୯୯.୨୦ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ହୋଇଥିବା ବେଳେ ସେଥି ମଧ୍ୟରୁ ୪୬.୪୪ ପ୍ରତିଶତ ଭୋଟରଙ୍କର ଡିଜିଟାଇଜେସନ ହୋଇଛି । ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲ୍ଲା ସାରା ରାଜ୍ୟରେ ଶୀର୍ଷରେ ରହି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି।
ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ୯ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସହ ସେମାନଙ୍କ ଜିଲ୍ଲାର ସ୍ଥିତି ବାବଦରେ ପୃଥକ୍ ପୃଥକ୍ ଭାବେ ଆଲୋଚନା କରିଥିଲେ। ଆଜି ସୁଦ୍ଧା କେତେ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ସେଥିରୁ କେତେ ପ୍ରତିଶତ ଡିଜିଟାଇଜେସନ ଶେଷ ହୋଇଛି ଏବଂ କେଉଁ ସବୁ ସମସ୍ୟା ଯୋଗୁଁ ପ୍ରକ୍ରିୟାରେ ବିଳମ୍ବ ହେଉଛି, ସେ ସମସ୍ତ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ଅତିରିକ୍ତ ସି.ଇ.ଓ ସୁଶାନ୍ତ କୁମାର ମିଶ୍ର ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଙ୍କ ନିକଟରେ ରାଜ୍ୟରେ ଚାଲିଥିବା ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ଉପରେ ଏକ ପାୱାର ପଏଣ୍ଟ ଉପସ୍ଥାପନା ପ୍ରଦର୍ଶନ କରିଥିଲେ। ପରିଗଣନା ଫର୍ମ ବଣ୍ଟନ ଓ ଦାଖଲର ଶେଷ ସମୟ ସୀମା ଜୁନ୍ ୨୮ ତାରିଖ ରହିଥିଲେ ମଧ୍ୟ, କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀଗୋପଲନ ଉପସ୍ଥିତ ଥିବା ୯ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆସନ୍ତା ଜୁନ୍ ୨୩ ଓ ୨୪ ତାରିଖ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଉଚ୍ଚ ସ୍ତରୀୟ ବୈଠକରେ, ଭାରତ ନିର୍ବାଚନ ଆୟୋଗର ପ୍ରମୁଖ ସଚିବ ଏସ୍ ବି ଯୋଶୀ, ଉପ ସଚିବ(ECI) ଅଭିନଭ ଅଗ୍ରୱାଲ, ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପଲନ, ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଡେ଼ପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ବାଲେଶ୍ବର ଜିଲ୍ଲାପାଳ ମୟୂର ବିକାଶ ସୂର୍ଯ୍ୟବଂଶୀ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ଏମ୍ ଅଖତର, କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ,ବିଏମସି ର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ,ଭୁବନେଶ୍ୱର ଉପ ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଡ ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ।
ସୂଚନାଯୋଗ୍ୟ, ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକୁ ଅଧିକ ସୁଗମ ଓ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏସ.ଆଇ.ଆର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କ ବଦଳି/ନିଯୁକ୍ତି ଉପରେ ନିଷେଧାଦେଶ ଲାଗୁ କରାଯାଇଛି।ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସୁଚାରୁ ପରିଚାଳନା ପାଇଁ ଅତିରିକ୍ତ ୨୭୫ ଜଣ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ସହ ବୈଠକ ଅନୁଷ୍ଠିତ ହୋଇଛି। ଦାବି ଏବଂ ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀସ୍ତରରେ ଶୁଣାଣି ଶିବିର ପ୍ରତିଷ୍ଠା କରାଯାଇଛି। ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ , ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କ୍ଷେତ୍ର ଏବଂ ରାଜ୍ୟ ସ୍ତରରେ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜନ ସୁନିଶ୍ଚିତ କରାଯାଇଛି। ଏସ.ଆଇ.ଆର-୨୦୨୬ ର ସଫଳ ରୂପାୟନ ପାଇଁ ୩୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ୧୪୭ ଜଣ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଏବଂ ୯୯୪ ଜଣ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଛି।
