ରାଜ୍ୟର ୧୩୨ଟି କେନ୍ଦ୍ରରେ ନିଟ୍‌-ୟୁଜି ୨୦୨୬ ପରୀକ୍ଷା: ପୁଲିସର ସମୀକ୍ଷା

ରାଜ୍ୟ
Spread the love

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାର ୧୩୨ଟି ପରୀକ୍ଷା କେନ୍ଦ୍ରରେ ଆସନ୍ତା ୨୧ ତାରିଖରେ ନିଟ୍‌-ୟୁଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରକ୍ଷାକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବାକୁ ଆଜି (ମଙ୍ଗଳବାର) ଭୁବନେଶ୍ବର ସ୍ଥିତି ଡିଜିପିଙ୍କ କ୍ୟାମ୍ପ୍‌ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପରୀକ୍ଷା ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ସହିତ ସମଗ୍ର ପ୍ରକ୍ରିୟାକୁ ସୁରୁଖୁରୁରେ ସମାପ୍ତ କରିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ସମସ୍ତ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ପରୀକ୍ଷା କେନ୍ଦ୍ରଗୁଡ଼ିକର ସୁରକ୍ଷା, ସିସିଟିଭି ନିରୀକ୍ଷଣ, ପ୍ରଶ୍ନପତ୍ର ସଂରକ୍ଷିତ ଥିବା ବ୍ୟାଙ୍କ ଲକରର ନିରାପତ୍ତା, ପରୀକ୍ଷା କେନ୍ଦ୍ର ପରିସର ଭିତରେ ଓ ବାହାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ ପରିଚାଳନା ଏବଂ ଆପାତ୍‌କାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ଏହାବ୍ୟତୀତ ସୋସିଆଲ ମିଡିଆ ମନିଟରିଂକୁ ଅଧିକ ସକ୍ରିୟ, ସାଇବର ସେଲ୍‌କୁ ସତର୍କ, ଭ୍ରାନ୍ତ ତଥ୍ୟ ଓ ଗୁଜବ ପ୍ରଚାର ଉପରେ କଡ଼ା ନଜର ରଖିବା ସହିତ ସମସ୍ତ ସୁରକ୍ଷା ବ୍ୟବସ୍ଥାର ପୂର୍ବ ପରୀକ୍ଷଣ ଓ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ପରୀକ୍ଷା ଶେଷ ହେବା ପରେ ଓଏମ୍‌ଆର୍‌ ସିଟ୍‌ଗୁଡ଼ିକୁ ପରୀକ୍ଷା କେନ୍ଦ୍ରରୁ ସଂଗ୍ରହ କରି ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଚଳିତ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ କରିବାକୁ ଡିଜିପି ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।
ପରୀକ୍ଷା ସମ୍ବନ୍ଧୀୟ କୌଣସି ପ୍ରକାରର ଅନିୟମିତତା, ଅସାଧୁ କାର୍ଯ୍ୟକଳାପ କିମ୍ବା ସୁରକ୍ଷା ତ୍ରୁଟିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ପୋଲିସ ପ୍ରଶାସନ ସଦା ସର୍ବଦା ସତର୍କ, ସଜାଗ ଓ ପ୍ରସ୍ତୁତ ରହିବାକୁ ସେ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ଏବଂ ଆଇଜି (କେନ୍ଦ୍ରାଞ୍ଚଳ) ଡ ସତ୍ୟଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ସମସ୍ତ ରେଞ୍ଜ ଆଇଜିପି/ଡିଆଇଜିପି ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନେ ବୈଠକରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *