କୋଳଥିଆ ଡବଲ୍‌ ମର୍ଡର ଘଟଣା: ଏକତରଫା ପ୍ରେମରୁ ହତ୍ୟା

ରାଜ୍ୟ
Spread the love

ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ କୋଳଥିଆ ହତ୍ୟାକାଣ୍ଡ ଘଟଣାରେ ମୃତ କୃଷ୍ଣପ୍ରସାଦ ପାଢ଼ୀଙ୍କ ବାପା ହିମାଂଶୁଙ୍କର ଆଜି (ସୋମବାର) ମୃତ୍ୟୁ ଘଟିଛି। କୋମା ଅବସ୍ଥାରେ ଏମ୍‌ସ ଟ୍ରମା କେୟାର୍ ବିଭାଗରେ ଭର୍ତ୍ତି ହୋଇଥିବା ହିମାଂଶୁଙ୍କୁ ଆଜି ଭୋର୍‌ରୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିଭଳି ଝିଅ ତାପସୀ ଏବେ ବି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଏହି ଡବଲ୍ ମର୍ଡର୍‌ର ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ବର ପୁଲିସ ସଂପୃକ୍ତ ମୁଖାପିନ୍ଧା ୨ ନାବାଳକଙ୍କୁ ଚିହ୍ନଟ କରି ବାଳ ସୁଧାର ଗୃହ ପଠାଇଛି।
ଏନେଇ ଆଜି କମିସନରେଟ୍ ପୁଲିସ କାର୍ଯ୍ୟାଳୟରେ ପୁଲିସ କମିସନର୍ ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଖଣ୍ଡଗିରି ଥାନା ପୁଲିସ ଗତକାଲି (ରବିବାର) ଘଟଣାସ୍ଥଳରୁ ୨ଟି ରକ୍ତଭିଜା ଲୁହାରଡ୍ ଜବତ କରିଥିଲା। ଆଜି ସେମାନଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ୨ଟି ମୁଖା, ଲଙ୍କା ଗୁଣ୍ଡ ସ୍ପ୍ରେ, ମୋବାଇଲ୍ ଫୋନ୍ ଓ ସେମାନଙ୍କର ପିନ୍ଧା ପୋଷାକ ଜବତ କରାଯାଇଛି।
ଗତକାଲି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିବା ପରେ ଖଣ୍ଡଗିରି ଥାନାରେ ହିମାଂଶୁଙ୍କ ସଂପର୍କୀୟ ପରମେଶ ପ୍ରସାଦ ପଣ୍ଡାଙ୍କ ଏତଲା ଆଧାରରେ ପୁଲିସ ହତ୍ୟା ଦଫା ସମେତ ୬ଟି ସଙ୍ଗିନ୍‌ ଲଗାଇ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଓ ତାପସୀଙ୍କ ବୟାନ ଅନୁସାରେ ପୁଲିସ ମୁଖାପିନ୍ଧାଙ୍କ ସନ୍ଧାନରେ ବାହାରିଥିଲା। ଅନୁସନ୍ଧାନରେ, ଜଣେ ୧୬ବର୍ଷୀୟ ଦଶମ ପଢ଼ୁଆ ଛାତ୍ର ଓ ୧୭ବର୍ଷୀୟ ଦ୍ବାଦଶ ପଢ଼ୁଆ ଛାତ୍ର ହିଁ ଅଭିଯୁକ୍ତ ବୋଲି ଜଣାଯାଇଥିଲା। ଉଭୟଙ୍କୁ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ଠାରୁ ଅଳ୍ପ ଦୂରରେ ରହୁଥିବା ଏକ ଭଡ଼ାଘରୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ ନାବାଳକ ଦ୍ବୟ ଏବଂ ମୃତ କୃଷ୍ଣ ପରସ୍ପରଙ୍କୁ ପୂର୍ବରୁ ଜାଣିଥିଲେ। କୃଷ୍ଣ ପ୍ରାୟ ମାସକ ତଳେ ୨ନାବାଳକଙ୍କୁ ଖଣ୍ଡଗିରିସ୍ଥିତ ଖାରବେଳ ପାର୍କରେ ନିସ୍ତୁକ ମାଡ଼ ମାରିଥିଲେ। ଏହାକୁ କେନ୍ଦ୍ର କରି ନାବାଳକ ଦ୍ବୟ ପ୍ରତିଶୋଧ ନିଆଁରେ ଜଳୁଥିଲେ। ଯେଉଁଥିପାଇଁ ସେମାନେ ୨ଜଣ ଏକାଠି ବସି ଯୋଜନା କରିଥିଲେ। କୃଷ୍ଣଙ୍କୁ ପାନେ ଦେବା ପାଇଁ ସେମାନେ ଅନଲାଇନ୍‌ରେ ଏକ ଲଙ୍କା ପାଉଡର୍ ସ୍ପ୍ରେ, ୨ଟି ମୁଖା ଓ ଏକ କନଷ୍ଟ୍ରକସନ୍ ସାଇଟ୍‌ରୁ ୨ଟି ଲୁହାରଡ୍ ଯୋଗାଡ଼ କରିଥିଲେ। ସେହି କ୍ରମରେ ରବିବାର ଶୂନ୍‌ଶାନ୍ ରାତି ପ୍ରାୟ ୧ଟା ବେଳେ ନାବାଳକ ଦ୍ବୟ ହିମାଂଶୁ ରହୁଥିବା ପ୍ଲଟ୍ ପାଚେରୀ ଡେଇଁ ଭିତରକୁ ପଶିଥିଲେ। କବାଟ ବାଡ଼େଇ ବାହାରେ ଅପେକ୍ଷା କରିଥିଲେ। କୃଷ୍ଣ କବାଟ ଖୋଲିବା ମାତ୍ରେ ତାଙ୍କ ଆଖିକୁ ଲଙ୍କା ସ୍ପ୍ରେ ପକାଇଥିଲେ। ଏହା ପରେ ତାଙ୍କ ମୁଣ୍ଡ ଓ ମୁହଁକୁ ଲୁହା ରଡ୍‌ରେ ଅତି ବୀଭତ୍ସ ଭାବେ ପିଟିଥିଲେ। କୃଷ୍ଣଙ୍କୁ ବଞ୍ଚାଇବାକୁ ତାଙ୍କ ବାପା ଓ ଭଉଣୀ ଆସିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।
ପୁଲିସ କମିସନର୍ ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ଅଭିଯୁକ୍ତ କୃଷ୍ଣ ବର୍ଷକ ପୂର୍ବେ ଖଣ୍ଡଗିରିସ୍ଥିତ ଏକ କୋଚିଂ ସେଣ୍ଟର୍‌କୁ ଟ୍ୟୁସନ୍ ପାଇଁ ଯାଉଥିଲେ। ଉକ୍ତ କୋଚିଂ ସେଣ୍ଟର୍‌କୁ ଦଶମ ଶ୍ରେଣୀ ନାବାଳକର ସମ୍ପର୍କୀୟ ଭଉଣୀ ମଧ୍ୟ ପଢ଼ିବାକୁ ଯାଉଥିଲା। ସମ୍ପୃକ୍ତ ଛାତ୍ରୀଙ୍କୁ କୃଷ୍ଣ ଏକତରଫା ପ୍ରେମ କରିଥିଲା। ଏହା ପରେ ତାଙ୍କୁ ହ୍ବାଟ୍ସଆପ୍‌ରେ ପ୍ରେମ ନିବେଦନ କରିଥିଲା। ମାତ୍ର ନାବାଳିକା ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ କୃଷ୍ଣ ତାଙ୍କୁ କୋଚିଂ ଯିବା ରାସ୍ତାରେ ହଇରାଣ କରିଥିଲା। ଏହାକୁ ନେଇ ନାବାଳିକା ତାଙ୍କ ଭାଇ ଓ ତାଙ୍କର ପୁରୁଷ ବନ୍ଧୁ ତଥା ହତ୍ୟାକାଣ୍ଡରେ ସଂପୃକ୍ତ ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କୁ କହିଥିଲା। ଏହାକୁ ନେଇ ନାବାଳକଦ୍ବୟ କୃଷ୍ଣଙ୍କୁ ଉକ୍ତ ନାବାଳିକାଙ୍କ ରାସ୍ତାରୁ ହଟିଯିବାକୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କୃଷ୍ଣ ୨ ନାବାଳକଙ୍କ ଘରକୁ ଯାଇ ସେମାନଙ୍କ ବାପାମା’ଙ୍କୁ ଗାଳି କରିଥିଲେ। ଏହା ପରେ ୨ ନାବାଳକ ଘଟଣାର ସମାଧାନ କରିବା ପାଇଁ ଖଣ୍ଡଗିରିସ୍ଥିତ ଖାରବେଳ ପାର୍କକୁ ଡାକିଥିଲେ। ସେଠାରେ କୃଷ୍ଣ ସେମାନଙ୍କୁ ମାଡ଼ ମାରି ଫେରାଇ ଦେଇଥିଲେ। ଏହିଠାରୁ କୃଷ୍ଣଙ୍କୁ ହତ୍ୟା କରିବାକୁ ନାବାଳକ ଦ୍ବୟ ଯୋଜନା କରିଥିଲେ।
କୋଳଥିଆରେ ହିମାଂଶୁ ପାଢ଼ୀ ଓ ପୁଅ କୃଷ୍ଣଙ୍କୁ ଲୁହାରଡ୍‌ରେ ପିଟିପିଟି ହତ୍ୟା କରିବା ଘଟଣାରେ କମିସନରେଟ୍ ପୁଲିସ ୨ନାବାଳକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ୍‌ର ୧୫ ଅନୁସାରେ, ୨ ନାବାଳକ ଭିଆଇଥିବା ଡବଲ୍ ମର୍ଡରକୁ ଅତି ଜଘନ୍ୟ ବୋଲି ପୁଲିସ ଦର୍ଶାଇଛି। ତେଣୁ ଏଭଳି ସଙ୍ଗଠିତ ଓଯୋଜନାବଦ୍ଧ ଅପରାଧରେ ପ୍ରାପ୍ତବୟସ୍କ ବୁଦ୍ଧି ଅର୍ଥାତ୍ ୧୮ବର୍ଷରୁ ଊର୍ଦ୍ଧ୍ବ ମଣିଷଙ୍କ ଚିନ୍ତାଧାରା କାର୍ଯ୍ୟ ବୋଲି ବିବେଚନା କରିଛି। ତେଣୁ ଏହି ଆଧାରରେ ପୁଲିସ କୋର୍ଟ ଓ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ(ଜେଜେବି) ନିକଟରେ ନାବାଳକଦ୍ବୟଙ୍କୁ ପ୍ରାପ୍ତବୟସ୍କ ବୋଲି ବିଚାର କରିବାକୁ ଆବେଦନ କରିବ ବୋଲି ଯୋଜନା କରିଛି। ଏନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି, ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଜେବି ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଥିଲେ। ସେହି ଅନୁସାରେ ୨୦୧୫ ମସିହାରେ ୧୬ବର୍ଷରୁ ଊର୍ଦ୍ଧ୍ବ ଓ ୧୮ବର୍ଷରୁ କମ୍ ନାବାଳମାନେ ଘଟାଉଥିବା ଜଘନ୍ୟ ଅପରାଧ(ହତ୍ୟା, ଦୁଷ୍କର୍ମ)ରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ୍‌ର ୧୫ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜେଜେବି ପରାମର୍ଶ ଗ୍ରହଣ କରାଯାଉଛି।

Leave a Reply

Your email address will not be published. Required fields are marked *